ରାହୁଲଙ୍କୁ ସମର୍ଥନ କଲେ ବିରୋଧୀ

ରାହୁଲଙ୍କୁ ବିରୋଧୀଙ୍କ ସମର୍ଥନ ! ଭାଜପାକୁ ବିରୋଧ ପାଇଁ ଏକଜୁଟ୍ ହେଲେ ବିରୋଧୀ ! ୨୪ ହେବ ବିଜେପି ପାଇଁ କାଠିକର ପାଠ ! ସରଗରମ ହେଉଛି ରାଜନୀତି । ବଦଳୁଛି ରାଜନୈତିକ ସମ୍ମୀକରଣ । ଆଗକୁ ୨୪ ନିର୍ବାଚନ ଥିବା ବେଳେ ବିରୋଧୀଙ୍କ ଏପରି ଏକଜୁଟ୍ ହେବା ଦଳ ପାଇଁ ବୁମେରାଂ ହୋଇପାରେ । ମାନହାନି ମାମଲାରେ ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇଯାଇଛି । କଂଗ୍ରେସ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଛି । ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ମଧ୍ୟ କଂଗ୍ରେସ ତଥା ରାହୁଲଙ୍କୁ ସମର୍ଥନ କରିବା ଦେଖାଯାଉଛି ।

ଏହି ଅବସରରେ ବିରୋଧୀ ଦଳଗୁଡ଼ିକୁ ଶାସକ ବିଜେପି ବିରୋଧରେ ଏକଜୁଟ କରାଇବାର ଏକ ମଉକା ମିଳିଛି କଂଗ୍ରେସକୁ । ଲୋକସଭାରେ ରାହୁଲଙ୍କ ଅଯୋଗ୍ୟ ଘୋଷଣାକୁ ବିରୋଧୀ ଦଳଗୁଡ଼ିକ ଏକସ୍ୱରରେ ବିରୋଧ କରିଥିଲେ । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏଭଳି ସମର୍ଥନକୁ ସ୍ୱାଗତ କରିଛି । ଗାନ୍ଧି ପରିବାରର ଅନୁଗତ ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାହୁଲଙ୍କ ସପକ୍ଷରେ ସତ୍ୟାଗ୍ରହ କରିବା ଅବସରରେ କହିଛନ୍ତି, ଦେଶ ଠିକ୍ ରାସ୍ତାରେ ଯାଉ ନ ଥିବା ବେଳେ ବିରୋଧୀମାନେ ଏହା ବିରୋଧରେ ଏକଜୁଟ ନ ହେବାରୁ ଲୋକେ ଅସନ୍ତୁଷ୍ଟ ଥିଲେ । କିନ୍ତୁ ବର୍ତ୍ତମାନ ସେମାନେ ଆମକୁ ସମର୍ଥନ କରିବା ଆରମ୍ଭ କରିଛନ୍ତି ।

ଏହାକୁ ନେଇ ପ୍ରତ୍ୟେକ ଦେଶବାସୀ ଖୁସି ଅଛନ୍ତି । ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ବିରୋଧୀମାନେ ଏଭଳି ଏକଜୁଟ ହେବା ଉଚିତ ବୋଲି ସେ କହିଛନ୍ତି । ଏହାପୂର୍ବରୁ ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଥିଲେ ଯେ, ବିରୋଧୀ ଦଳଗୁଡ଼ିକ ବିରୋଧୀ ଏକତା ସୃଷ୍ଟିକାରୀ ପ୍ରସଙ୍ଗଗୁଡ଼ିକୁ ଉଚିତ ଢଙ୍ଗରେ ଆଗକୁ ନେବା ଉଚିତ । ପାର୍ଲାମେଣ୍ଟରେ କଂଗ୍ରେସ ଅଧ୍ୟକ୍ଷ ବିରୋଧୀ ଦଳଗୁଡ଼ିକ ଭିତରେ ସମନ୍ୱୟ ରକ୍ଷା କରୁଛନ୍ତି । ପାର୍ଲାମେଣ୍ଟ ବାହାରେ ମଧ୍ୟ ଏହା ହେବା ଉଚିତ ବୋଲି ସେ କହିଥିଲେ ।