ତେଲେଙ୍ଗାନା ରେ ଅଗ୍ନିପଥକୁ ବିରୋଧ : ପୋଲିସ ଗୁଳିରେ ଜଣେ ମୃତ, ୧୩ ଆହତ

ସ୍ୱଳ୍ପକାଳୀନ ସେନା ନିଯୁକ୍ତି ‘ଅଗ୍ନିପଥ ଯୋଜନା’ କୁ ନେଇ ବିଶାଖାପାଟଣାରେ ଗୁଳିମାଡ଼ ହୋଇଛି। ଏହି ଉତ୍ତେଜନାର ପୁଲିସ ଗୁଳିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ଗୁଳିମାଡ଼ରେ ୧୩ ଜଣ ଗୁରୁତର ହୋଇଛନ୍ତି। ଅନ୍ୟପକ୍ଷରେ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ତେଲେଙ୍ଗାନା ବ୍ୟତୀତ ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ, ଉତ୍ତରାଖଣ୍ଡ, ରାଜସ୍ଥାନ ଓ କଟକରେ ବି ଏହି ସ୍କିମକୁ ବିରୋଧ କରାଯାଉଛି ।

ସୂଚନା ଅନୁସାରେ ସିକନ୍ଦରାବାଦରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିଲା । ଏହି ସମୟରେ ଟ୍ରେନରେ ନିଆଁ ଲଗାଇ ଦେବା ସହ ଭଙ୍ଗାରୁଜା କରିଥିଲେ ପ୍ରଦର୍ଶନକାରୀ । ଏହାସହ ପଥର ଫୋପାଡିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ପ୍ରଦର୍ଶନକାରୀମାନେ ପୋଲିସ ଉପରକୁ ପଥର ମାଡ କରୁଛନ୍ତି ।

ବିରୋଧ ପ୍ରଦର୍ଶନ ବେଳେ ୧୭ ରାଉଣ୍ଡ ଫାୟରିଂ ହୋଇଛି । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ୧୩ ଜଣ ଆହତ ହୋଇଛନ୍ତି । ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ସିକନ୍ଦରାବାଦ ରେଲୱେ ଷ୍ଟେସନରେ ହୋଇଥିବା ଏହି ଘଟଣା ପରେ ଏବେ ଅନ୍ୟ ସ୍ଥାନରେ ପୋଲିସ ଆଲର୍ଟରେ ରହିଛି ।
ତେବେ ପ୍ରଦର୍ଶନ କରୁଥିବା ଯୁବକଙ୍କ କହିବାନୁସାରେ, ଆମେ ହତାଶ ଯେ ଆମର ଫିଜିକାଲ କ୍ଲିୟର ହେବା ପରେ ମଧ୍ୟ ୨ ବର୍ଷ ପାଇଁ ସେନାରେ ନିଯୁକ୍ତି ମିଳୁନାହିଁ। କିନ୍ତୁ ଏବେ ସରକାର ନୂଆ ସ୍କିମ୍‌ ଆଣୁଛନ୍ତି, ଯାହା ଆମ ପାଇଁ ଅନ୍ୟାୟ। ଏଣୁ ଆମେ ଏହାକୁ ବିରୋଧ କରୁଛୁ।

ଅଗ୍ନିପଥ ଯୋଜନା କ’ଣ:

ଯୁବବର୍ଗଙ୍କୁ ତିନି ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଘୋଷଣା କରିଛନ୍ତି। ନୂଆ ଜୋଶ ଓ ଜଜ୍‌ୱା ସହ ସେନା ନୂଆ ରୂପ ପାଇବ। ଅଗ୍ନିବୀର ନିଯୁକ୍ତି ହେବ। ଏହି ଯୋଜନାକୁ ଓ୍ଵିନ୍‌, ଓ୍ଵିନ୍‌, ଓ୍ଵିନ୍‌ ବା ଟ୍ରିପଲ୍‌ ଓ୍ଵିନ୍‌ ବୋଲି ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ମୁଖ୍ୟ ଏୟାର ମାର୍ଶାଲ ଡି. କେ. ପଟ୍ଟନାୟକ କହିଥିଲେ।

ତେବେ ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କ ଚାକିରି ଅବଧି ୪ ବର୍ଷ ରହିବ। ଚଳିତ ବର୍ଷ ୪୬ ହଜାର ଅଗ୍ନିବୀର ନିଯୁକ୍ତି ପାଇବେ। ୯୦ଦିନ ମଧ୍ୟରେ ଆରମ୍ଭ ହେବ ନିଯୁକ୍ତି ରାଲି। ଆବେଦନ କାରୀଙ୍କ ବୟସ ସୀମା ସାଢ଼େ ୧୭ ବର୍ଷରୁ ୨୧ ବର୍ଷ ବୟସ ରହିଛି। ଅଗ୍ନିବୀରମାନଙ୍କୁ ମାସିକ ୩୦ ହଜାରରୁ ୪୦ ଟଙ୍କାର ବେତନ ମିଳିବ। ୪ ବର୍ଷ ଚାକିରି ପରେ ୨୫ ପ୍ରତିଶତ ଯୋଗ୍ୟ ଓ ନିପୁଣ ଅଗ୍ନିବୀରଙ୍କୁ ସେନାରେ ପୁଣି ୧୫ବର୍ଷ ନିଯୁକ୍ତି ସୁଯୋଗ ମିଳିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।