୧୭ ବର୍ଷରୁ ଊର୍ଦ୍ଧ୍ୱ ବୟସର ଯୁବଗୋଷ୍ଠୀଙ୍କୁ ସୁଯୋଗ: ଆଗୁଆ ଭୋଟର୍ ତାଲିକାରେ କରିପାରିବେ ନାମ ପଞ୍ଜୀକରଣ

ଭୁବନେଶ୍ୱର : ୧୭ ବର୍ଷରୁ ଊର୍ଦ୍ଧ୍ୱ ବୟସର ଯୁବକଯୁବତୀମାନେ ଚାହିଁଲେ ଆଗୁଆ ଭାବେ ଭୋଟର୍ ତାଲିକାରେ ନାମ ପଞ୍ଜୀକରଣ କରିପାରିବେ । ସେଥିପାଇଁ ସେମାନଙ୍କୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଚଳିତ ଭୋଟର୍ ହେଲ୍ପଲାଇନ୍ ଓ ଏନ୍‌ଭିଏସ୍‌ପି ଭଳି ଆପ୍‌ର ଜରିଆରେ ଆବେଦନ କରିବାକୁ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର୍ ଲୋହାନୀ କହିଛନ୍ତି । ଆସନ୍ତା ଜାନୁଆରୀ ୨୫ରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ଗୁରୁବାର ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଲୋହାନୀ ଏହା କହିଛନ୍ତି । ଏହାଛଡ଼ା ଶ୍ରୀ ଲୋହାନୀ କହିଛନ୍ତି ଯେ, ନିର୍ବାଚନ ଆୟୋଗର ପ୍ରତିଷ୍ଠା ଦିବସକୁ ସ୍ମରଣ କରିବା ସହ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ପ୍ରତିବର୍ଷ ଜାନୁଆରୀ ୨୫କୁ ଜାତୀୟ ମତଦାତା ଦିବସ ଭାବେ ଦେଶରେ ପାଳନ କରାଯାଉଛି । ଯୁବଭୋଟରଙ୍କୁ ଭୋଟର୍ ତାଲିକାରେ ନାଞ୍ଜୀକରଣ, ନିର୍ବାଚନ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ନିର୍ବାଚନ ପ୍ରକ୍ରିୟାରେ ଶତପ୍ରତିଶତ ଅଂଶଗ୍ରହଣ କରି ସଠିକ୍ ତଥା ଉପଯୁକ୍ତ ନେତା ଚୟନ କରିବା ହେଉଛି ମତଦାତା ପାଳନ ଦିବସର ଅନ୍ୟ ଏକ ମହତ୍ତର ଉଦ୍ଦେଶ୍ୟ । ପ୍ରତିବର୍ଷ ନୂତନ ଭୋଟର୍‌ଙ୍କ ପଞ୍ଜୀକରଣ ନିମନ୍ତେ ନିର୍ବାଚନ ଆୟୋଗ ଭୋଟର ତାଲିକାରେ କେତେଗୁଡ଼ିଏ ସଂସ୍କାର ଆଣିଛନ୍ତି । ଭୋଟର୍ ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ପୂର୍ବରୁ ଗୋଟିଏ ଯୋଗ୍ୟତାସୂଚକ ତାରିଖ ଥିଲା । ବର୍ତ୍ତମାନ ତାହା ପରିବର୍ତ୍ତନ କରାଯାଇ ଗୋଟିଏ ବର୍ଷରେ ୪ଟି ଯୋଗ୍ୟତାସୂଚକ ତାରିଖ ସ୍ଥିର କରାଯାଇଛି । ପଞ୍ଜୀକରଣ ନିମନ୍ତେ ସହଜ ଓ ସରଳ ଫର୍ମର ବ୍ୟବହାର କରାଯାଉଛି । ଅଯୋଗ୍ୟ ଭୋଟର୍‌ଙ୍କୁ ତାଲିକାରୁ ବାଦ୍ ଦେବା ନିମନ୍ତେ ଭୋଟର୍ ଫଟୋ ପରିଚୟ ପତ୍ର ସହ ଆଧାର କାର୍ଡ଼ ସଂଯୋଗ ଇତ୍ୟାଦି ବ୍ୟବସ୍ଥାର ପ୍ରଚଳନ କରାଯାଇଛି । ଅନ୍ୟପକ୍ଷରେ ଜାତୀୟ ମତଦାତା ଦିବସ ପାଳନ ଅବସରରେ ଜାନୁଆରୀ ୨୫ରେ ମହାବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନଙ୍କର ଛାତ୍ରଛାତ୍ରୀ(୧୭ ବର୍ଷରୁ ଊର୍ଦ୍ଧ୍ୱ)ଙ୍କ ଦ୍ୱାରା ଶୋଭାଯାତ୍ରା, କୁଇଜ୍‌, ତର୍କ, ରଙ୍ଗୋଲି ପେଣ୍ଟିଂ ଇତ୍ୟାଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହେବାକୁ ବୈଠକରେ ସ୍ଥିର କରାଯାଇଛି । ନିକଟ ଅତୀତରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ଏହି ଅବସରରେ ସମ୍ମାନିତ କରାଯିବକୁ ସ୍ଥିର କରାଯାଇଛି । ସେହିଭଳି ନିର୍ଭୁଲ୍ ଭୋଟର୍ ତାଲିକା ପ୍ରସ୍ତୁତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବୁଥ୍‌ସ୍ତରୀୟ ଅଧିକାରୀ, ରିଟର୍ଣ୍ଣିଂ ଅଧିକାରୀ, ସହକାରୀ ରିଟର୍ଣ୍ଣିଂ ଅଧିକାରୀଙ୍କୁ ସମ୍ମାନିତ କରାଯିବାକୁ ସ୍ଥିର କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ ଓ ଶତ୍ରୁଘ୍ନ କର, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପି.କେ ସ୍ୱାଇଁ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଭୁବନେଶ୍ୱର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଓଏସ୍‌ଡି ଭବାନୀ ପ୍ରସାଦ ରାୟ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଅର୍ଥ ପରାମର୍ଶଦାତା ସଞ୍ଜୟ ଲୁଗୁନ୍‌, ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍‌ର ଡେପୁଟୀ କମିଶନର ସପନ କୁମାର ନନ୍ଦ, ସଂସ୍କୃତି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଅନାମିକା ଅଧିକାରୀ, ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଜେନା, ଡେପୁଟୀ କମିଶନର ଅଫ୍ ପୁଲିସ୍ ଆଇ କେ ମହାପାତ୍ର, ଭୁବନେଶ୍ୱର ସୂଚନା ଓ ଲୋକସଂପର୍କ ଅଧିକାରୀ ପଠାଣି ରାଉତ୍‌,, ଓଡ଼ିଶା ଇଲେକ୍‌ସନ୍ ୱାଚର ଜ୍ୟୋତି ମହାନ୍ତି ଓ ରଞ୍ଜନ କୁମାର ମହାନ୍ତି, ଅନୁଶାସନ ସଚିବ ଶିବନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।