ଗଞ୍ଜେଇ ଚାଷକୁ ରୋକିବା ପାଇଁ ‘ଅପେରସନ ପରିବର୍ତ୍ତନ’

ଗଞ୍ଜେଇ ବ୍ୟବସାୟ ଓ ଚାଷକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶ ପୁଲିସ ପକ୍ଷରୁ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ଆରମ୍ଭ ହୋଇଛି ‘ଅପେରସନ ପରିବର୍ତ୍ତନ’। ଆଜି ଏ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ପୁଲିସ ଡିଜି ଗୌତମ ସ୍ଵାଂଗଙ୍କ ସହ ବିଶାଖାପାଟଣା ଠାରେ ଓଡ଼ିଶା, ତେଲେଙ୍ଗାନା, କର୍ଣ୍ଣାଟକା, ତାମିଲନାଡୁ ଓ କେରଳର ଏଡିଜିପି ରାଙ୍କର ପୁଲିସ ଅଧିକାରୀ, ଜିଲ୍ଲାପାଳ ଓ ନିଶା ନିବାରଣ ଅଧିକାରୀଙ୍କ ମାନଙ୍କ ବୈଠକ କରିଛନ୍ତି।

ଅପେରସନ ପରିବର୍ତ୍ତନ” ଦ୍ୱାରା ସାରା ଆନ୍ଧ୍ରପ୍ରଦେଶରୁ ଗଞ୍ଜେଇ ଚାଷ ଓ ବ୍ୟବସାୟକୁ ସମ୍ପୂର୍ଣ ନଷ୍ଟ କରିବା ପାଇଁ ପୁଲିସ ବିଭାଗ ସହ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି), ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶାଳୟ (ଡିଆରଆଇ), ଏସଇବି, ଗୁପ୍ତଚର ବ୍ୟୁରୋ (ଆଇବି), ଆଇଟିଡିଏ, ଜଙ୍ଗଲ, ରାଜସ୍ୱ, ଆଦିବାସୀ କଲ୍ୟାଣ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସାମିଲ କରାଯାଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି।

ଏହି ବୈଠକରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ବ୍ୟାପକ ଚାଲାଣ ହେଉଥିବା ଯୋଗୁ ସମସ୍ତ ରାଜ୍ୟର ସୀମାରେ ଏହା ଉପରେ ନଜର ରଖିବାକୁ ଡିଜିପି ଗୌତମ ଅନୁରୋଧ କରିଛନ୍ତି। ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ନଷ୍ଟ କରିବା ସହ ଆଦିବାସୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଗଞ୍ଜେଇ ଚାଷ ଓ ବ୍ୟବସାୟ ବିରୋଧରେ ଲୋକଙ୍କୁ ସଚେତନ କରିବା ପାଇଁ ମୋଟ ୧୦ଟି ଟିମ ନିୟୋଜିତ ହୋଇଛନ୍ତି।
ବୈଠକରେ ଡିଜିପି ଗୌତମ କହିଛନ୍ତି, ଅକ୍ଟୋବର ୩୦ଠାରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ‘ଅପେରସନ ପରିବର୍ତନ’ ପ୍ରତ୍ୟେକ ଦିନ ଜାରି ରହିବ। ଏହି କାର୍ଯ୍ୟକ୍ରମରେ ବିଶାଖାପାଟଣା ଜିଲ୍ଲାରେ ସର୍ବାଧିକ ୧୩୦ ଜଣ କର୍ମଚାରୀ କାମ କରୁଛନ୍ତି।

ସୀମାନ୍ତରେ ମାଓବାଦୀଙ୍କ ଦବଦବା ରହିଥିବାରୁ ଏହାର ଫାଇଦା ଉଠାଇ ବ୍ୟବସାୟୀ ମାନେ ବେଧଡ଼କ ଗଞ୍ଜେଇ ବ୍ୟବସାୟ କରୁଛନ୍ତି। ଆଭ୍ୟନ୍ତରୀଣ ଅଂଚଳରେ ଗଞ୍ଜେଇ ଚାଷକୁ ଠାବ କରିବା ପାଇଁ ପୁଲିସ ପକ୍ଷରୁ ଡ୍ରୋନ୍ କ୍ୟାମେରା, ସ୍ୟାଟେଲାଇଟ ଫଟୋ ସହ ଅତ୍ୟାଧୁନିକ ଟେକ୍ନୋଲୋଜି ସାଙ୍ଗକୁ ଗୁଇନ୍ଦା ବିଭାଗର କର୍ମଚାରୀଙ୍କ ସହାୟତା ନିଆଯାଉଛି ବୋଲି ସେ କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୀମାନ୍ତ ଅଂଚଳରେ ଗଞ୍ଜାଇ ଚାଷକୁ ଠାବ କରିବା ଓ ଏହାକୁ ନଷ୍ଟ କରିବା ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି। ତେଣୁ ପୁଲିସ୍‌ ପକ୍ଷରୁ ପ୍ରତିଟି ଗାଁର ମୁଖ୍ୟ, ପଞ୍ଚାୟତର ସରପଞ୍ଚଙ୍କ ଓ ଗ୍ରାମବାସୀଙ୍କ ସବୁ ବିଷୟରେ ଆଲୋଚନା କରାଯାଉଛି।

Comments (0)
Add Comment