ଖୁଲମଖୁଲା ବୁଥ ରିଂଗିଂ:ମତଦାନ ବେଳେ ବୁଥ ଭିତରେ ଧସେଇ ପଶିଲେ ମହିଳା ,ପ୍ରିଜାଇଡିଂ ଅଫିସର ଙ୍କୁ ଦେଖାଇଲେ ନାଲିଆଖି

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭଳି ତୃତୀୟ ପର୍ଯ୍ୟାୟରେ ମଧ୍ୟ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଓ ହିଂସାକାଣ୍ଡ ଦେଖାଦେଇଛି । ଅନେକ ସ୍ଥାନରେ ବୁଥ ରିଗିଂ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ସେହିଭଳି ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଭଦ୍ରକ ତିହିଡି ବ୍ଲକର ୪ ନମ୍ବର ବୁଥରେ ଖୁଲ୍ଲମଖୁଲା ବୁଥ ରିଂଗିଂ ହୋଇଥିବା ଦେଖିବାକୁ ମିଳିଛି । ଜଣେ ମହିଳା ବାରମ୍ବାର ବୁଥ୍ ଭିତରକୁ ଯାଉଥିଲେ ଓ ଅନ୍ୟ ମହିଳାଙ୍କ ବାଲାଟ୍ ପେପର ନେଇ ନିଜେ ଭୋଟ୍ ଦେଉଥିଲେ। ଏମିତିକି ସେ ମହିଳା ଭୋଟରଙ୍କୁ ନିଜେ ଭୋଟ୍ କେନ୍ଦ୍ର ଭିତରକୁ ନେଇ ଯାଉଥିଲେ। ଗଣମାଧ୍ୟମ ପ୍ରତିନିଧି ଏବଂ ଭୋଟର ଏହାକୁ ନେଇ ଆପତ୍ତି ଉଠାଇବା ପରେ ସଂପୃକ୍ତ ମହିଳା ଜଣଙ୍କ ନାଲି ଆଖି ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଛି । ପ୍ରିଜାଇଡିଂ ଅଫିସର ତାଙ୍କୁ ବାରଣ କରିଥିଲେ। କିନ୍ତୁ ସଂପୃକ୍ତ ମହିଳା ଜଣଙ୍କ ଶୁଣି ନଥିଲେ। ଶେଷରେ ପ୍ରିଜାଇଡିଂ ଅଫିସର ଆସି ପୁଲିସଙ୍କ ଆଗରେ ନେହୁରା ହୋଇଥିଲେ। ଏଥିରେ ହସ୍ତକ୍ଷେପ କରି ତାଙ୍କ ଚାକିରି ବଞ୍ଚାଇ ଦେବାକୁ ସେ ହାତ ଯୋଡ଼ି ଉପସ୍ଥିତ ପୁଲିସ୍ ଅଧିକାରୀଙ୍କୁ ଅନୁରୋଧ କରିଥିଲେ।ହେଲେ ପୁଲିସ ଅଧିକାରୀ ସହଯୋଗ କରିନଥିବା ସୂଚନା ରହିଛି । ଏମିତିକି ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଭୋଟ୍ ନଦେଇ ମହିଳା ଜଣଙ୍କ ତଡି ଦେଇଥିବା ସୂଚନା ରହିଛି । ତେବେ ଅତିରିକ୍ତ ଏଏସପି କହିଛନ୍ତି ଶାନ୍ତି ଶୃଙ୍ଖଳାର ସହିତ ମତଦାନ ହୋଇଛିି ।