ବିଧାନସଭାରେ ଉଠିଲା ‘ୱାନ ନେସନ୍ ୱାନ ରାସନ’ କାର୍ଡ ପ୍ରସଙ୍ଗ : ରାଜ୍ୟରେ ଉପକୃତ ହୋଇଛନ୍ତି ୧,୧୦,୦୦୦ ପରିବାର

ଗତ ବର୍ଷ ଜୁଲାଇ ୨୯ ତାରିଖ ଠାରୁ କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ୱାନ ନେସନ ୱାନ ରାସନ କାର୍ଡ’ ବା ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନା କାର୍ଯ୍ୟକାରୀ ହୋଇଛି I ଏହି ଯୋଜନା ଅନ୍ତର୍ଗତ ସାରା ଦେଶରେ NFSA ମାଧ୍ୟମ ରେ ଯୋଡି ହୋଇଛନ୍ତି ୯୩ ଲକ୍ଷ ୧୩ ହଜାର ୪୪୮ ପରିବାରର ୩ କୋଟି ୨୫ ଲକ୍ଷ ୧୮ ହଜାର ୪୫୫ ଜଣ ଲୋକ। ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ ଲକ୍ଷ ୬୧ ହଜାର ୨୨୭ ପରିବାରର ୮ ଲକ୍ଷ ୮ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡ଼ିଶା ପ୍ରଥମ ହୋଇଛି।

ବିଧାନସଭାରେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ୨୦୨୧ ଜୁଲାଇ ୨୯ତାରିଖ ଠାରୁ ଏହି ଯୋଜନା ଓଡ଼ିଶାରେ ଲାଗୁ ହୋଇଛି । ଏହି ଯୋଜନା ମାଧ୍ୟମରେ ରାଜ୍ୟର ୧୦୫୭୮ଟି ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ୧.୧୦ଲକ୍ଷ ପରିବାର ଉପକୃତ ହୋଇଛନ୍ତି । ସେହିପରି ୫୩୩ଜଣ ଅନ୍ତଃରାଜ୍ୟ ହିତାଧିକାରୀମାନେ ଏହି ଯୋଜନାରେ ଉପକୃତ ହେଉଥିବାବେଳେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ସମସ୍ତ ହିତାଧିକାରୀଙ୍କୁ ୱାନ ନେସନ, ୱାନ କାର୍ଡ ଯୋଜନାର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ବିଶ୍ୱ ସ୍ତରରେ ମଧ୍ୟ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରାଯାଇଛି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ କାର୍ଯ୍ୟନିର୍ବାହୀ ଓଡ଼ିଶାର ମଡେଲକୁ ଅନ୍ୟ ଦେଶଗୁଡିକ ଆପଣାଇବା ପାଇଁ ପରାମର୍ଶ ଦେଇଛନ୍ତି।