କୋଟିଏ ଟଙ୍କାର ବ୍ରାଉନ୍ ସୁଗର ଜବତ, ୬ ଗିରଫ

ଜଳେଶ୍ୱର ଓ ବାଲେଶ୍ୱର ପରେ ଚୋରା ନିଶା ବେପାରୀ ଙ୍କ ଅଡ୍ଡା କଟକ ,ଜଗତସିଂପୁର ,କେନ୍ଦ୍ରାପଡା ଆଡକୁ ମୁହାଁଇ ଲାଣି I ଗତ ୫ ମାସ ମଧ୍ୟରେ କଟକ ପୁଲିସ୍‌ର ଡ୍ରଗ୍ସ ବିରୋଧୀ ଅଭିଯାନ ବେଶ୍ ଜୋରଦାର ରହିଛି। ଆଉ ଏହି ସମୟ ମଧ୍ୟରେ ୪ କେଜି ୨୮୦ ଗ୍ରାମ୍ ବ୍ରାଉନ୍ ସୁଗର ଜବତ ହୋଇଛି। ଗତ ୫ ମାସରେ କଟକ ଓ ଭୁବନେଶ୍ୱରରୁ ମିଶାଇ ୬ କେଜି ୩୦୦ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗର ଜବତ କରାଯାଇଛି। ସେଇଭଳି ଆଜି କଟକରୁ ଜବତ ହୋଇଛି ୧ କେଜି ୧୫୯ ଗ୍ରାମ୍ ବ୍ରାଉନ୍ ସୁଗର। ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ରୁ ଉର୍ଦ୍ଧ୍ଵ ହେବ ବୋଲି ଆକଳନ କରାଯାଉଛି । ଏହା ସହିତ ୬ ଜଣଙ୍କୁ ଗିରଫ କରିଛି ପୁଲିସ୍। ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି ଏହି ସୂଚନା।
ପୁଲିସ୍ କମିଶନରଙ୍କ ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଏହି ୬ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଜଗତସିଂହପୁରର ହୋଇଥିବା ବେଳେ ଜଣେ ପୁରୀର ଓ ଅନ୍ୟ ଜଣେ କଟକର ଲାଲବାଗ୍ ଥାନା ଅଞ୍ଚଳର ବାସିନ୍ଦା। ସେମାନଙ୍କ ନାଁରେ ଅନ୍ୟାନ୍ୟ ମାମଲା ମଧ୍ୟ ରହିଛି। ସେହିପରି ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଠାରୁ ପୂର୍ବରୁ ମଧ୍ୟ ବ୍ରାଉନ୍ ସୁଗର ଜବତ କରାଯାଇଥିଲା।
ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ଜବତ ବ୍ରାଉନ୍‌ ସୁଗରକୁ ଜଗତସିଂହପୁର ଓ ପୁରୀ ଆଦି ସ୍ଥାନକୁ ପଠାଇଥା’ନ୍ତେ। ସେମାନେ ଜଳେଶ୍ୱରରୁ ବ୍ରାଉନ୍ ସୁଗର ଆଣି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଆଦି ଅଞ୍ଚଳକୁ ପଠାଇଥା’ନ୍ତି। ଅଭିଯୁକ୍ତମାନଙ୍କର ଏହି କାରବାର ସଂପର୍କରେ ଅଧିକ ତଦନ୍ତ କରାଯିବ ବୋଲି ସିପି କହିଛନ୍ତି, ଏତେ ପରିମାଣରେ ବ୍ରାଉନ୍ ସୁଗର ଜବତ ହେବା ନିଶ୍ଚିତ ଭାବେ କଟକ ପୁଲିସ୍ ପାଇଁ ଏକ ବଡ଼ ସଫଳତା। କଟକ ଓ ଭୁବନେଶ୍ୱରକୁ ଡ୍ରଗ୍ସ ମୁକ୍ତ କରିବା ପାଇଁ କମିଶନରେଟ୍ ପୁଲିସ୍‌ର ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।

Comments (0)
Add Comment