ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବର୍ଷକ ଭିତରେ ଜିଲ୍ଲା ହେବ ପଦମପୁର

ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁର ଉପ ନିର୍ବାଚନ ସମୟରେ ଜିଲ୍ଲା ଘୋଷଣା ନେଇ କରିଥିବା ପ୍ରତିଶ୍ରୁତି କୁ ପୁଣି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ବର୍ଷକ ଭିତରେ ପଦମପୁର ଜିଲ୍ଲା ହେବ ବୋଲି କହିଛନ୍ତି ।

ଦିନିକିଆ ପଦମପୁର ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ଝାରବନ୍ଧରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ଯାହା ପ୍ରତିଶ୍ରୁତି ଦିଏ ତାକୁ ପୁରା କରେ । ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ ।

ଆପଣଙ୍କୁ କହି ରଖୁଛୁ ପଦମପୁର ଉପନିର୍ବାଚନ ସମୟରେ ପଦମପୁରକୁ ଜିଲ୍ଲା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଗତବର୍ଷ ଡିସେମ୍ବର ମାସରେ ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମିଶନ ଶକ୍ତି ଅନ୍ତର୍ଗତରେ ମହିଳାଙ୍କ କାମକୁ ନେଇ ସେ ବେଶ ଖୁସି ଅଛନ୍ତି । ମିଶନ ଶକ୍ତିର ମା’ମାନଙ୍କୁ 1 କୋଟି 23 ଲକ୍ଷ ଟଙ୍କାର ସହାୟତା ରାଶି ଦେବା କଥା ମଧ୍ୟ ଘୋଷଣା କରିଥିଲେ । ଏହି ଟଙ୍କାକୁ ବ୍ୟବହାର କରି ମା’ମାନେ ଉଦ୍ୟୋଗୀ ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଲୋକଙ୍କ ସ୍ନେହଶ୍ରଦ୍ଧା ତାଙ୍କୁ ଅଭିଭୂତ କରିଛି ବୋଲି ମଧ୍ୟ ସେ କହିଥିଲେ । ବିକାଶ ପାଇଁ ସାଧାରଣ ଲୋକ ଦେଇଥିବା ପ୍ରସ୍ତାବକୁ ତାଙ୍କ ସରକାର ଗ୍ରହଣ କରିଛନ୍ତି । ପାଇକମାଳ ପିଏଚସିକୁ ସିଏଚସି କରାଯାଇଛି । ପଦମପୁରରେ ବିଭିନ୍ନ ବିକାଶମୁଳକ କାର୍ଯ୍ୟ ପାଇଁ 90 କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।