ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭି ଭାଷଣରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ

ଆଜି ୨୫ ମାର୍ଚ୍ଚରୁ ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ I ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହାପରେ ସ୍ୱାସ୍ଥ୍ୟକ୍ଷେତ୍ରକୁ ଗୁରୁତ୍ୱ ଦେଇ ରାଜ୍ୟପାଳ କହିଛନ୍ତି କି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କୁ ମାଗଣାରେ ସେବା ଦିଆଯାଉଛି । ରାଜ୍ୟରେ ୯୬ଲକ୍ଷ ପରିବାର ଉପକୃତ ହେଉଛନ୍ତି । ବିନା ଖର୍ଚ୍ଚରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି । ସୁସ୍ଥ ଓଡିଶା, ସୁଖୀ ଓଡିଶା ଓ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଆମ ପାଇଁ ମୂଲ୍ୟବାନ୍ । ତେରୁ ୧୫ରୁ ଅଧିକ ବୃହତ ଯୋଜନା କାର୍ଯ୍ୟକାରୀ କରି ସ୍ୱାସ୍ଥ୍ୟ ସେବାରେ ଓଡିଶା ଅଦ୍ଭୁତପୂର୍ବ ଅଗ୍ରଗତି କରିଛି । ଖାଲି ଏତିକି ନୁହେଁ କରୋନା ମୁକାବିଲା ପାଇଁ ୫କୋଟିରୁ ଅଧିକ ଟିକା ଦିଆଗଲାଣି ବୋଲି ଅଭିଭାଷଣ ରଖିଛନ୍ତି ।

ମୋ ସରକାର ସମବାୟ ବ୍ୟାଙ୍କ୍ ଜରିଆରେ କ୍ଷୁଦ୍ର, ନାମମାତ୍ର, ଭୂମହୀନ, ଭାଗଚାଷୀ, ପ୍ରକୃତ ଚାଷୀ ଏବଂ ଗ୍ରାମ୍ୟ ମହିଳାଙ୍କ ୩୩, ୪୧୬ଟି ଯୁଗଦେୟ ଗୋଷ୍ଠୀଙ୍କୁ ୨୧୯ କୋଟି ଟଙ୍କା ଋଣ ଯୋଗାଇ ଦେଇଛନ୍ତି । ‘କାଳିଆ’ ଯୋଜନାରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରଣ ନିମନ୍ତେ ସୁଧହାର ୧ ପ୍ରତିଶତରୁ ‘ଶୂନ’ ପ୍ରତିଶତ କରାଯାଇଛି, ଯାହାଦ୍ୱାରା ୨୦୧୯-୨୦ ବର୍ଷରେ ସେଗୁଡ଼ିକ ସୁଧମୁକ୍ତ ଫସଲ ରଣରେ ପରିଣତ ହୋଇପାରିଛି । ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୫୦ ହଜାର ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବର୍ତ୍ତମାନ ମାତ୍ର ୨ ପ୍ରତିଶତ ସୁଧହାରରେ ଯୋଗାଇ ଦିଆଯାଉଛି । ୨୦୧୪-୧୫ ମସିହା ପରଠାରୁ ପ୍ରାୟ ୩୧,୦୫୦ କୋଟି ଟଙ୍କା ବ୍ୟୟରେ ୩୧ ଲକ୍ଷ ପକ୍କାଘର ନିର୍ମାଣ କାର୍ଯ୍ୟ ସ୍ଵଚ୍ଛତାର ସହିତ ସମ୍ପୂର୍ଣ୍ଣ କରାଯାଇଛି । ହିତାଧିକାରୀମାନଙ୍କ ପାଇଁ ‘ବିଜୁ ପକ୍କାଘର ପ୍ରୋତ୍ସାହନ ନୀତି’ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି । ୭ ଲକ୍ଷ ୮୨ ହଜାର ହିତାଧିକାରୀଙ୍କୁ ୪ ମାସ ଏବଂ ୬ ମାସ ଅବଧୂ ମଧ୍ୟରେ ନିଜ ପକ୍କାଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବାରୁ ପ୍ରୋତ୍ସାହନ ବାବଦରେ ୧,୨୮୩ କୋଟି ଟଙ୍କା ସଂପୃକ୍ତ ହିତାଧ୍ୟାକାରୀ ପରିବାରକୁ ପ୍ରଦାନ କରାଯାଇଛି । ପୁନଶ୍ଚ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ୧୨ ଲକ୍ଷ ୨୫ ହଜାର ଯୋଗ୍ୟ ପରିବାର ଚିହ୍ନଟ କରାଯାଇଛି ।

ସହାରାଞ୍ଚଳରେ ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କ ଜୀବନରେ ସବୁଦିନ ପାଇଁ ଖୁସି ଆଣିଦେବା ନିମନ୍ତେ ମୋ ସରକାରଙ୍କ ଯୁଗାନ୍ତକାରୀ ‘ଜାଗା ମିଶନ’ ଏକ ଆଦର୍ଶ ଜନନୀତି । ସହରୀ ଚଳଣିର ଅପରିହାର୍ଯ୍ୟ ଅଙ୍ଗ ଭାବେ ଅନୌପଚାରିକ ବସତି ଓ ବସ୍ତି ବାସିନ୍ଦାଙ୍କୁ ଏହି ନୀତି ସ୍ୱୀକୃତି ପ୍ରଦାନ ପୂର୍ବକ ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କରିଥାଏ । ଏହି ସାମଗ୍ରିକ ଉପକ୍ରମ ‘ଏସିଆ ପାସିଫିକ୍ ହାଉସିଂ ଫୋରମ୍ ଇନୋଭେସନ ପୁରସ୍କାର-୨୦୨୧’ର ବିଜେତା ହୋଇଛି । ବସ୍ତି ବାସିନ୍ଦାଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ରାଜ୍ୟର ୧୧୪ଟି ସହରାଞ୍ଚଳ ସ୍ୱାୟତ୍ତ ଶାସନ ପରିଷଦର ୨୯୭୪ଟି ବସ୍ତିକୁ ‘ବିଜୁ ଆଦର୍ଶ କଲୋନୀ’ରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ବସ୍ତି ଉନ୍ନତିକରଣ ଏବଂ ଅଣ ତାଲିକାକରଣ ଉପକ୍ରମ ମାଧ୍ୟମରେ ୧ ଲକ୍ଷ ୭୦ ହଜାର ପରିବାରଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି ଏବଂ ରାଜ୍ୟର ୮ଟି ସହର ବସ୍ତିଶୂନ୍ୟ ସହରର ମାନ୍ୟତା ପାଇପାରିଛି ।