ପୁଣି ବଢିଲା ଓମଫେଡ କ୍ଷୀର ଦର। ୫୦୦ ମିଲି ଲିଟର ପ୍ୟାକେଟ ପିଛା ୨ ଟଙ୍କା ବୃଦ୍ଧି କରିଛି ଓମଫେଡ୍ । ଗୋଖାଦ୍ୟ, ଚାରା, ଔଷଧ, ଇନ୍ଧନ ଆଦିରେ କୃଷକଙ୍କ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଓମ୍ ଫେଡ୍ ଦୁଗ୍ଧ ମୂଲ୍ୟରେ ବୃଦ୍ଧି କରିଛି । ଆସନ୍ତା ଏପ୍ରିଲ୍ ୧ରୁ ଏହି ନୂଆ ଦର ଲାଗୁ ହେବ ।
ଖବର ଅନୁଯାୟୀ, ଓମଫେଡର ୫୦୦ ଏମ୍ଏଲ୍ ଟୋନଡ କ୍ଷୀର ମୂଲ୍ୟ ୨୧ ଟଙ୍କାରୁ ବୃଦ୍ଧି ପାଇ ୨୩ ଟଙ୍କା ହୋଇଥିବା ବେଳେ ପ୍ରିମିୟମ୍ କ୍ଷୀର ଦାମ୍ ୨୪ ଟଙ୍କାରୁ ୨୬ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଗୋଲ୍ଡ କ୍ଷୀର ମୂଲ୍ୟ ୨୪ ଟଙ୍କାରୁ ୨୬ ଟଙ୍କାକୁ ଓ ଚା’ ସ୍ପେସିଆଲ୍ କ୍ଷୀର ମୂଲ୍ୟ ୨୩ ଟଙ୍କାରୁ ବୃଦ୍ଧି ପାଇ ୨୫ ଟଙ୍କା ହୋଇଛି।
ତେବେ ଓମଫେଡ କ୍ଷୀର ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବା ବେଳେ ଏହା ଉପରେ ବହୁ ଉପଭୋକ୍ତା ଯଥା ଛୋଟ ପିଲା, ରୋଗୀ ତଥା ବୃଦ୍ଧବୃଦ୍ଧା ନିର୍ଭର କରିଥାନ୍ତି। ତେବେ ଏକା ସଙ୍ଗେ ଏହାର ମୁଲ୍ୟ ୨ ଟଙ୍କା ବୃଦ୍ଧି ପାଇବା ଖାଉଟିଙ୍କ ପକେଟ ଉପରେ ପ୍ରଭାବ ପକାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।