OHRCରେ ପ୍ରଶାସନିକ ଅଚଳାବସ୍ଥା: ଜଣେ ସଦସ୍ୟଙ୍କ ଭରସାରେ କମିଶନ

ଭୁବନେଶ୍ୱର: ଓଡ଼ିଶା ମାନବାଧିକାର କମିଶନ(ଓଏଚ୍‌ଆର୍‌ସି) କାର୍ଯ୍ୟାଳୟକୁ ଫୋନ୍‌ କଲେ ମିଳୁନି ଉତ୍ତର । ଅଚଳ ଅବସ୍ଥାରେ ଓଡ଼ିଶା ମାନବାଧିକାର କମିଶନ । ସମ୍ବେଦନଶୀଳ ମାମଲାର ହୋଇପାରୁନି ଶୁଣାଣି । ଦେଢ଼ ମାସ ହେଲାଣି ମାତ୍ର ଜଣେ ସଦସ୍ୟଙ୍କୁ ନେଇ ଚାଲିଛି ଓଏଚ୍‌ଆର୍‌ସି । ଦୀର୍ଘଦିନ ହେବ ଅନ୍‌ଲାଇନ୍‌ ଯୋଗେ ଅଭିଯୋଗ କରିବା ପରେ କୌଣସି ଉତ୍ତର ନ ପାଇବାରୁ ଅଭିଯୋଗକାରୀମାନେ ଟେଲିଫୋନ୍‌ରେ ଯୋଗାଯୋଗ କରୁଛନ୍ତି । କେହି ଫୋନ୍‌ ଉଠାଉନାହାନ୍ତି । ଜଣେ ସାମାଜିକ କର୍ମୀ ବୁଧବାର ଦିନ ସାଢ଼େ ୧୨ଟା ବେଳେ କମିଶନଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ଅଭିଯୋଗ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ହେଲେ କମିଶନରେ ଜଣେ ସିକ୍ୟୁରିଟି ଗାର୍ଡ ଏବଂ ଦୁଇ ଜଣ ଅଫିସ୍‌ କର୍ମଚାରୀଙ୍କ ବ୍ୟତୀତ ଆଉ କେହି ନଥିବା ଦେଖିଥିଲେ । ପ୍ରତ୍ୟେକ ଦିନ ଅନେକ ଆବେଦନକାରୀ ଆସି ନିରାଶ ହୋଇ ଫେରୁଛନ୍ତି । ଅଧ୍ୟକ୍ଷ ଜଷ୍ଟିସ୍‌ ଶତ୍ରୁଘ୍ନ ପୂଜାହାରୀ ଓ ସଦସ୍ୟ ଅସୀମ ଅମିତାଭ ଦାସଙ୍କର ଗତ ଫେବୃଆରୀ ୯ରେ ୩ ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ଏବେ କେବଳ ଜଣେ ବିଚାର ବିଭାଗୀୟ ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର ରହିଛନ୍ତି । ଅଧ୍ୟକ୍ଷ ପଦ ଖାଲି ଥିବାରୁ ସମ୍ବେଦନଶୀଳ ମାମଲାଗୁଡ଼ିକର ଶୁଣାଣି ହୋଇପାରୁନାହିଁ । କେବଳ ଏତିକି ନୁହେଁ, କମିଶନରେ ୨୦୨୩ ଅଗଷ୍ଟରୁ ସଚିବ ଏବଂ ୨୦୨୪ ମେ’ରୁ ତଦନ୍ତ ନିର୍ଦ୍ଦେଶକ ପଦ ମଧ୍ୟ ଖାଲି ପଡ଼ିଛି । ଏଥିସହ ଅନୁମୋଦିତ କର୍ମଚାରୀ ପଦରୁ ୨୭ଟି ପଦବି ଖାଲି ଅଛି । ତଥ୍ୟ ଅନୁସାରେ ଆଜି ସୁଦ୍ଧା ନୂଆ ଓ ପୁରୁଣାକୁ ମିଶାଇ ୫ ହଜାର ୬୮୬ଟି ମାମଲା ବିଚାରଧୀନ ରହିଛି ।
ସୂଚନାଯୋଗ୍ୟ, ମାନବ ଅଧିକାର ସୁରକ୍ଷା ଅଧିନିୟମ-୧୯୯୩ ଧାରା ୨୧ ଅନୁଯାୟୀ ଓଏଚ୍‌ଆର୍‌ସି ଏକ ବୈଧାନିକ ସଂସ୍ଥା । ଏଥିରେ ଜଣେ ଅଧ୍ୟକ୍ଷ, ଜଣେ ବିଚାର ବିଭାଗୀୟ ସଦସ୍ୟ ଓ ଜଣେ ସଦସ୍ୟ ରହିବା କଥା । ଏହି ପ୍ରସଙ୍ଗରେ ହାଇକୋର୍ଟଙ୍କ ନିକଟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ ହୋଇଛି । ମାର୍ଚ୍ଚ ୧୧ରେ ଏହାର ଶୁଣାଣି ବେଳେ ଆଡଭୋକେଟ୍‌ ଜେନେରାଲ୍‌ ମାର୍ଚ୍ଚ ୧୨ରେ ଅଧ୍ୟକ୍ଷ ଓ ସଦସ୍ୟ ଚୟନ ପାଇଁ ଉଚ୍ଚସ୍ତରୀୟ ବୈଠକ ହେବ ବୋଲି ଜଣାଇଥିଲେ । କିନ୍ତୁ ଆଜି ସୁଦ୍ଧା କିଛି ହୋଇନାହିଁ । ଆସନ୍ତା ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସାଧାରଣ ଲୋକ ହନ୍ତସନ୍ତ ହେବା ସହ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଆବେଦନକାରୀ ପ୍ରବୀର କୁମାର ଦାସ କହିଛନ୍ତି । ସେହିପରି ଜଗତ୍‌ସିଂହପୁର ଜିଲ୍ଲାର ସାମାଜିକ କର୍ମୀ ସୁବ୍ରତ କୁମାର ଦାଶଙ୍କ କହିବାନୁସାରେ ତାଙ୍କର ପ୍ରାୟ ୩୦ରୁ ଊଦ୍ଧ୍ୱର୍ ମାମଲା ବିଚାରଧୀନ ରହିଛି ।