ଜନପ୍ରତିନିଧିଙ୍କୁ ଉପଯୁକ୍ତ ସମ୍ମାନ ଦେଖାଇବେ ଅଫିସର, ଆସିଲା ନୂଆ ନିୟମ

ନିକଟରେ ବିଧାନସଭାର ଏଥିକ୍ସ କମିଟି ୬ଟି ଜିଲ୍ଲା ଗସ୍ତ କରିବା ପରେ ଅଫିସରଙ୍କ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛି । ଜନପ୍ରତିନିଧିଙ୍କୁ ସମ୍ମାନ ଦେବା ପାଇଁ ଜିଲ୍ଲାପାଳ, ସଚିବ ଓ ଏସପି ମାନଙ୍କୁ ଚିଠି ଲେଖିଲେ ସଂସଦୀୟ ବ୍ୟାପାର ସଚିବ ଜି ମାଥିଭାଥନ । ଗତ ଅକ୍ଟୋବର ୨୧ ରୁ ୨୪ ମଧ୍ୟରେ ଏଥିକ୍ସ କମିଟିର ସଦସ୍ୟମାନେ ଦେଓଗଡ଼, ସୁନ୍ଦରଗଡ଼, ସୋନପୁର, ଝାରସୁଗୁଡ଼ା, ବରଗଡ଼ ଓ ବୌଦ୍ଧ ଜିଲ୍ଲା ଗସ୍ତ କରିବା ପରେ ଅସନ୍ତୋଷ ପ୍ରକାଶ କରି ଏହି ରିପୋର୍ଟ ଦେଇଛନ୍ତି । ଏନେଇ ସମସ୍ତ ସଚିବ, ବିଭାଗୀୟ ମୁଖ୍ୟ, ପୋଲିସ ଡିଜି, ଆଇଜି, ଜିଲ୍ଲାପାଳ ଏସପିଙ୍କୁ ଚିଠି ଲେଖିଛନ୍ତି ସରକାରଙ୍କ ପ୍ରମୁଖ ସଚିବ । ନବନିଯୁକ୍ତ ଓଏଏସ, ଓଆରଏସ, ଓଟିଏସଙ୍କ ସହ ଅନ୍ୟ ଅଧିକାରୀମାନେ ଜନପ୍ରତିନିଧିଙ୍କୁ କିପରି ବ୍ୟବହାର କରିବେ, ସେନେଇ ଟ୍ରେନିଂ ଦେବାକୁ କୁହାଯାଇଛି ।
ବୁକ୍ ସର୍କୁଲାର-୪୭ରେ ଉଲ୍ଲେଖ ଅଛି ଯେ, ସାଂସଦ ଓ ବିଧାୟକଙ୍କୁ ଅଫିସରମାନେ ଭଦ୍ର ବ୍ୟବହାର ଦେଖାଇବେ । ଅଫିସକୁ ସାଂସଦ କିମ୍ବା ବିଧାୟକ ଆସିଲେ ଅଫିସର ଛିଡ଼ା ହୋଇ ତାଙ୍କୁ ସ୍ୱାଗତ କରିବେ । ଜନପ୍ରତିନିଧି ଫୋନ୍ କଲେ ଅଫିସର ତୁରନ୍ତ ଫୋନ ଉଠାଇବେ, ଅନୁପସ୍ଥିତି ଥିଲେ କଲ୍ ବ୍ୟାକ୍ କରିବେ । ଜନପ୍ରତିନିଧିଙ୍କ ସହ କାର୍ଯ୍ୟ କରୁଥିବା ବେଳେ ବିଳମ୍ବ ନୀତି ଆପଣାଇବେ ନାହିଁ । ମନ୍ତ୍ରୀ, ସାଂସଦ, ବିଧାୟକ ଉପସ୍ଥିତ ଥିଲେ ଉତ୍ସବରେ ସରକାରୀ ଅଧିକାରୀ ପୌରୋହିତ୍ୟ କରିପାରିବେନି । ବୁକ୍ ସର୍କୁଲାର ୪୭ ଉଲ୍ଲଂଘର କରୁଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ପୂର୍ବରୁ ବର୍ଷ ବର୍ଷ ଧରି ଏହି ଅଭିଯୋଗ ଶାସକ ଓ ବିରୋଧୀ ସଦସ୍ୟଙ୍କ ପକ୍ଷରୁ କରାଯାଇଥିଲେ ହେଁ ଏବେ କିପରି କାର୍ଯ୍ୟ କରୁଛି ତାହା ଆଗକୁ ଜଣାପଡ଼ିବ ।

Comments (0)
Add Comment