ଆଜି ହେଉଛି ମାର୍ଚ୍ଚ ୮ ଅନ୍ତର୍ଜାତୀକ ମହିଳା ଦିବସ I ଏହି ଅବସରରେ ଦିଲ୍ଲୀଠାରେ ଦିଆଯାଇଛି ୨୦୨୦-୨୧ ବର୍ଷ ପାଇଁ ନାରୀ ଶକ୍ତି ସମ୍ମାନ । ଦେଶର ବିଭିନ୍ନ ପ୍ରାନ୍ତର ମୋଟ ୨୯ ଜଣ ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ମହିଳାଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ସମ୍ମାନିତ କରାଯାଇଛି । ଏହି ୨୯ ଜଣଙ୍କ ମଧ୍ୟରେ ଅଛନ୍ତି ଓଡିଶାର ଶୃତି ମହାପାତ୍ର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଶୃତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାରରେ ସମ୍ମାନିତ କରିଛନ୍ତି।
ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସମ୍ମାନ ପ୍ରଦର୍ଶନ ସ୍ବରୂପ ଆଜି ଏହି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି I ନାରୀ ସଶକ୍ତିକରଣ, ବିଶେଷ କରି ଦୁର୍ବଳ ଓ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୯ ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଛି।
ଓଡିଶାରୁ ଏହି ସମ୍ମାନ ର ଅଧିକାରିଣୀ ହୋଇଥିବା ଶୃତି ମହାପାତ୍ର ସ୍କୁଲ ବେଳୁ ପାଠ ପଢା ରେ ମେଧାବୀ ଛାତ୍ରୀ ଥିଲେ I ଏହା ପରେ ଉଚ୍ଚ ଶିକ୍ଷା ସମୟରେ ଡେଭଲପମେଂଟାଲ ବାୟୋଲୋଜିରେ ପିଏଚଡି କରିଥିବା ଶୃତି ଏମଏସସିରେ ସ୍ୱର୍ଣ୍ଣପଦକ ବିଜେତା ହୋଇଥିଲେ I ଏହା ସହିତ ସେ ୧୯୭୮ରେ ସେ ଉତକଳ ବିଶ୍ୱବିଦ୍ୟାଳୟ ପକ୍ଷରୁ କୃତି ଛାତ୍ରୀ ପୁରସ୍କାର ପାଇଛନ୍ତି । ୧୯୮୦,୧୯୮୧ ଏବଂ ୧୯୮୨ ମସିହାରେ ଲଗାତାର ଭାବରେ ସେ ରାଷ୍ଟ୍ରୀୟ ଡିବେଟ ଚାମ୍ପିୟନ ହୋଇଥିଲେ । ୧୯୮୪ ମସିହାରେ ମାତ୍ର ୨୪ବର୍ଷ ବୟସରେ ଶୃତି ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ୟ୍ୟ ହୋଇଥିଲେ I ଏହାପରେ ସିଭିଲ ସର୍ଭିସରେ କୃତକାର୍ୟ୍ୟ ହେବା ପରେ ଚାକିରୀରେ ଯୋଗଦାନ ଦେବାର ଅଳ୍ପ ଦିନ ପୂର୍ବରୁୂ ପରିବାର ସହିତ ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ସମୟରେ ସେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ ତାଙ୍କର ଦୁଇଟି ଯାକ ଗୋଡ ଅଚଳ ହୋଇଯାଇଥିଲା । ଏହା ପରଠାରୁ ତାଙ୍କର ସଂଘର୍ଷମୟ ଜୀବନ ଆରମ୍ଭ ହୋଇଥିଲା ।ଦୁଇ ଗୋଡ ଅଚଳ ହୋଇଯିବ ଫଳରେ ଚାକିରୀରେ ଯୋଗଦେବା ପାଇଁ ସରକାର ମନା କରିଥିଲେ । ତେବେ ଶୃତି ଏଥିରେ ଭାଙ୍ଗି ନପଡି ଖୁବ ସକାରତ୍ମକ ସହ ଜୀବନକୁ ଏକ ନୂଆ ଦିଗ ଦେଇଥିଲେ । ସେ ୧୯୮୭ରୁ ୧୯୯୬ ପର୍ୟ୍ୟନ୍ତ ଓଡ଼ିଶା ସରକାରଙ୍କଦ୍ୱାରା ଆୟୋଜିତ କର୍ୟ୍ୟକ୍ରମରେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ‘ଲିସାସ’ କୋଚିଂ ରେ ଶିକ୍ଷା ଦେଇ ଆସୁଛନ୍ତି I ଯେଉଁଥିରେ ପ୍ରାୟ ୩୦୦ ଜଣ ବିଦ୍ୟାର୍ଥୀ ସଫଳ ହେବା ସହ ବିଭିନ୍ନ ସରକାରୀ ସଂସ୍ଥା ଓ ଅନୁଷ୍ଠାନରେ ନିଜର ଚାକିରୀ ଜୀବନ ଆରମ୍ଭ କରିଛନ୍ତି ।