ଭୁବନେଶ୍ବର: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଅଧୀନସ୍ଥ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଆଜି ଭୁବନେଶ୍ୱରରେ “ଭାରତୀୟ ସାମୁଦ୍ରିକ କ୍ଷେତ୍ରର ପରିବର୍ତ୍ତିତ ଦିଗ: ପରିମାଣରୁ ଦୂରଦୃଷ୍ଟି ପର୍ଯ୍ୟନ୍ତ” ବିଷୟବସ୍ତୁ ଉପରେ ଏକ ରୋଡ୍ ଶୋ ସଫଳତାର ସହିତ ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମଟି ଭାରତ ସାମୁଦ୍ରିକ ସପ୍ତାହ (ଆଇଏମଡବ୍ଲୁ) ୨୦୨୫ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜନ ହେଉଥିବା ବିଭିନ୍ନ ପ୍ରଚାରମୂଳକ କାର୍ଯ୍ୟକ୍ରମ ମଧ୍ୟରେ ଅନ୍ୟତମ । ଏହି ରୋଡଶୋରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ, ଓଡ଼ିଶା ସରକାର ଯୋଗ ଦେଇଥିବାବେଳେ ଡକ୍ଟର ବିଭୁ ପ୍ରସାଦ ତରାଇ, ସାଂସଦ (ଲୋକସଭା); ଶ୍ରୀ ହେମନ୍ତ ଶର୍ମା, ଅତିରିକ୍ତ ମୁଖ୍ୟ ସଚିବ, ଶିଳ୍ପ ବିଭାଗ, ଓଡ଼ିଶା ସରକାର ଏବଂ ଇପିକଲ ଅଧ୍ୟକ୍ଷ; ଏବଂ ଶ୍ରୀମତୀ ଉଷା ପାଢୀ, ପ୍ରମୁଖ ସଚିବ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ, ଓଡ଼ିଶା ସରକାରଙ୍କ ସହିତ ଶିଳ୍ପ ନେତା, ସରକାରୀ ଅଧିକାରୀ ଏବଂ ସାମୁଦ୍ରିକ ମୂଲ୍ୟ ଶୃଙ୍ଖଳାର ଅଂଶୀଦାରମାନେ ଉପସ୍ଥିତ ଥିଲେ। ଏହି ସମାରୋହରେ ସ୍ୱାଗତ ଭାଷଣ ଦେଇ, ପାରାଦୀପ ବନ୍ଦରର ଅଧ୍ୟକ୍ଷ ଶ୍ରୀ ପି.ଏଲ୍. ହାରନାଧ ଭାରତର ସାମୁଦ୍ରିକ ଦୃଷ୍ଟିକୋଣ ୨୦୪୭ ଉପରେ ଆଲୋକପାତ କରିବା ସହିତ ସ୍ଥିର ବାଣିଜ୍ୟ ଅଭିବୃଦ୍ଧି, ସ୍ଥାୟୀତ୍ୱ ଏବଂ ଡିଜିଟାଲ୍ ପରିବର୍ତ୍ତନର ବିଶ୍ୱ ସାମୁଦ୍ରିକ ଧାରା ଉପରେ ଆଲୋକପାତ କରିଥିଲେ। ସେ ଏହା ମଧ୍ୟ ସୂଚନା ଦେଇଥିଲେ ଯେ ୨୦୨୦୫ ମସିହାର ୨୭ ତାରିଖରୁ ୩୧ ଅକ୍ଟୋବର ମଧ୍ୟରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ସାମୁଦ୍ରିକ ସପ୍ତାହ ୨୦୨୫ ଏକ ପାଞ୍ଚ ଦିନିଆ ବିଶ୍ୱସ୍ତରୀୟ ଫୋରମ୍ ହେବ ଯାହା ୧୦୦+ ସାମୁଦ୍ରିକ ରାଷ୍ଟ୍ର, ୨୦୦ ଅନ୍ତର୍ଜାତୀୟ ବକ୍ତା, ୫୦୦ ପ୍ରଦର୍ଶକ ଏବଂ ଏକ ଲକ୍ଷ ପ୍ରତିନିଧିଙ୍କ ସହ ଯୋଗଦେବ। ଏହି ଆଲୋଚନାରେ ବନ୍ଦର ଆଧୁନିକୀକରଣ, କ୍ଷମତା ବୃଦ୍ଧି, ସବୁଜ ପରିବହନ ଏବଂ ଜଳବାୟୁ-ସଚେତନ ନୌବାହନ, ଜାହାଜ ନିର୍ମାଣ, ବୀମା ଏବଂ ଆର୍ଥିକ ଏବଂ ସାମୁଦ୍ରିକ ସୁରକ୍ଷାକୁ ନେଇ ଆଲୋଚନା କରାଯିବ, ଯେଉଁଥିରେ ଭାରତର ସାମୁଦ୍ରିକ ରାଜ୍ୟଗୁଡ଼ିକ – ଓଡ଼ିଶା ସମେତ – ପୂର୍ଣ୍ଣ ଅଂଶଗ୍ରହଣ କରିବେ। ଏଥିରେ ମନ୍ତ୍ରଣାଳୟ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଏମଓୟୁ ଯୋଜନା କରୁଛି, ଯାହା ମଧ୍ୟରୁ ପାରାଦୀପ ବନ୍ଦର ଏକ ଲକ୍ଷ କୋଟିରୁ ଅଧିକ ଆଶା କରୁଛି । ସେ ଗତ ସପ୍ତାହରେ ଗୁଜରାଟର ଭାବନଗରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ଓଡ଼ିଶା ସରକାର ସ୍ବାକ୍ଷର କରିଥିବା ବୁଝାମଣାପତ୍ର କଥା ଉଲ୍ଲେଖ କରିଥିଲେ । ଏସବୁ ଏମଓୟୁ ମଧ୍ୟରେ ରହିଛି ୨୧,୫୦୦ କୋଟି ଟଙ୍କା ବିନିଯୋଗରେ ବାହୁଡ଼ା ବନ୍ଦର, ମହାନଦୀ ମୁହାଣରେ ୨୪,୭୦୦ କୋଟି ଟଙ୍କାର ଏକ ଜାହାଜ ନିର୍ମାଣ ହବ୍ ଏବଂ ପୁରୀରେ ଏକ କ୍ରୁଜ୍ ଟର୍ମିନାଲ ।