ଜି-୨୦ ସ୍ୱାଗତ ସ୍ଥଳରେ ଶୋଭା ପାଉଛି ଓଡିଶାର ଐତିହ୍ୟ କୋଣାର୍କ ଚକ୍ର

ଭାରତ ମଣ୍ଡପମ୍ ସ୍ୱାଗତ ସ୍ଥଳରେ ଶୋଭା ପାଉଛି ଓଡ଼ିଶାର ଐତିହ୍ୟ କୋଣାର୍କ ଚକ୍ର । ଯେଉଁ ଅତିଥି ମାନେ ଆସୁଛନ୍ତି ତାଙ୍କୁ ସେଠାରେ ସ୍ୱାଗତ କରାଯାଉଛି । ଏହା ଓଡିଶା ପାଇଁ ଏକ ଗର୍ବ ଓ ଗୌରବ l ସ୍ୱାଗତ ସ୍ଥଳରେ ଥିବା ଏହି କୋଣାର୍କ ଚକ୍ର ସାମ୍ନାରେ ଛିଡା ହୋଇ ରାଷ୍ଟ୍ରନେତାମନଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସହିତ ରହିଥିଲେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ‘ଜାତୀୟ ସୁରକ୍ଷା ପରାମର୍ଶଦାତା’ ଅଜିତ ଡୋଭାଲ୍‌ । ବସୁଦେବ କୁଟୁମ୍ବକମ୍ ଥିମକୁ ନେଇ ସମ୍ମିଳନୀ ଆୟୋଜିତ କରାଯାଇଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର ।

ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହା ନିର୍ମିତ ହୋଇଥିଲା । ରାଜା ଲାଙ୍ଗୁଳା ନରସିଂହଦେବଙ୍କ ସମୟରେ ନିର୍ମିତ ହୋଇଥିଲା ଏହି ଚକ୍ର । ୨୪ ବାଇ ଥିବା ଏହି ଚକ ଭାରତର ଜାତୀୟ ପତାକାରେ ମଧ୍ୟ ସାମିଲ କରାଯାଇଛି । ଯାହାକି ଭାରତର ସଭ୍ୟତା ଏବଂ ସ୍ଥାପତ୍ୟ ଉତ୍କର୍ଷର ପ୍ରତୀକ।

ଆଜି ଅନୁଷ୍ଠିତ ଏହି ସମ୍ମିଳନୀରେ ଅର୍ଥନୈତିକ, ଜଳବାୟୁ ପରିବର୍ତ୍ତନ ଓ ଶିକ୍ଷା ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଜଳବାୟୁ ପରିବର୍ତ୍ତନ ଓ ଖାଦ୍ୟ ସୁରକ୍ଷା ପସଙ୍ଗକୁ ଭାରତ ମୁଖ୍ୟ ପ୍ରସଙ୍ଗ କରିବ । ଏଥିସହ ବିକାଶଶୀଳ ଦେଶମାନଙ୍କୁ କିପରି ସହଜରେ ଋଣ ମିଳିପାରିବ, ଆନ୍ତର୍ଜାତିକ ଋଣ ବ୍ୟବସ୍ଥାରେ କିପରି ସୁଧାର ଅଣାଯାଇାରିବ ଓ କ୍ରିପ୍ଟୋକରେନ୍ସି ନିୟମ ଉପରେ ବି ବିସ୍ତୃତ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ଦୁଇ ଦିନ ମଧ୍ୟରେ ବ୍ରିଟେନ, ଜାପାନ ଏବଂ ଇଟାଲୀ ସମେତ ଜି-୨୦ ନେତାଙ୍କ ସହ ୧୫ଟି ଦ୍ୱିପାକ୍ଷିକ ବୈଠକ କରିବେ ।

ଏଥିସହ ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କୁ କୋଣାର୍କ ଚକ୍ର ବିଷୟରେ ବିସ୍ତୃତ ଭାବରେ ବୁଝାଇଥିବା ନଜର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦୀ ସ୍ଵାଗତ ସ୍ଥଳରେ ଥିବା ବେଳେ ବାଇଡେନଙ୍କୁ ସ୍ଵାଗତ କରିଥିଲେ । ସ୍ୱାଗତ କଲା ପରେ ସ୍ୱାଗତ ସ୍ଥଳରେ ଶୋଭା ପାଉଥିବା କୋଣାର୍କ ଚକ୍ର ଆଡ଼କୁ ଦୁହେଁ ବୁଲିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଏ ନେଇ ବିସ୍ତୃତ ବୁଝାଇଥିଲେ l