ଓଡ଼ିଶାର ପ୍ରଥମ ଆନିମେଟେଡ୍‌ ଫିଚର ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଅଗଷ୍ଟ ୨୮ରେ ମୁକ୍ତିଲାଭ କରିବ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଆନିମେଟେଡ୍‌ ଫିଚର ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ପୂର୍ବରୁ ଜୁଲାଇ ୧୭ରେ ରିଲିଜ୍‌ ହେବାକୁ ଥିବାବେଳେ ଏବେ ଅଗଷ୍ଟ ୨୮ ତାରିଖରେ ଦେଶର ବିଭିନ୍ନ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି । ଆଇନଗତ ବିବାଦ କାରଣରୁ ଫିଲ୍ମ ରିଲିଜ୍‌ ଅଟକି ଯାଇଥିଲା। ସୂଚନା ଥାଉ ଯେ, ଓଡ଼ିଶାର ପ୍ରଥମ ଆନିମେଟେଡ ଫିଚର ଫିଲ୍ମ କୁହାଯାଉଥିବା ‘ମହାପ୍ରଭୁ ଜଗନ୍ନାଥ’ ଏବେ ୨୮ ଅଗଷ୍ଟ ୨୦୨୬ରେ ସିନେପଲିସ ଜରିଆରେ ପ୍ୟାନ ଇଣ୍ଡିଆ ରିଲିଜ ହେବ। ଯୁବପିଢ଼ିଙ୍କ ମଧ୍ୟରେ ଭକ୍ତି ଓ ସାଂସ୍କୃତିକ ମୂଲ୍ୟବୋଧ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏହାକୁ ଏକ କାଳ୍ପନିକ କାହାଣୀ ଭାବେ ନିର୍ମାଣ କରାଯାଇଛି। ଏହି ମାମଲାର ଶୁଣାଣି ସମୟରେ ମନ୍ଦିର କମିଟି ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ୍ ଜେନେରାଲ୍ (ଏଜି) ପୀତାମ୍ବର ଆଚାର୍ଯ୍ୟ ଏକ ରୋଚକ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ଫିଲ୍ମରେ ଶ୍ରୀମନ୍ଦିରର ଆରାଧ୍ୟ ଦେବତାଙ୍କୁ ‘ଡୋରେମନ୍’ ଏବଂ ‘ସ୍ପାଇଡର୍-ମ୍ୟାନ୍’ ଭଳି ଏକ ଆନିମେଟେଡ୍ ରୂପରେ ଚିତ୍ରଣ କରାଯାଇଛି, ଯାହାକି ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ଦେଇଛି। ଏହା ସହିତ ସେ ଅଭିଯୋଗ କରିଥିଲେ ଯେ, ଏକ ସ୍ୱତନ୍ତ୍ର ସ୍କ୍ରିନିଂ ପରେ ଫିଲ୍ମର ନିର୍ମାତାମାନେ ବିବାଦୀୟ ଦୃଶ୍ୟଗୁଡ଼ିକୁ କାଟିବାକୁ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ତାହା ପାଳନ କରିନାହାଁନ୍ତି। ପ୍ରଡକ୍ସନ୍ ହାଉସ୍ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମତ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ଫିଲ୍ମରେ କୌଣସି ପରିବର୍ତ୍ତନ କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇନଥିଲେ ।