ଓଡ଼ିଶାକୁ ମିଳିଲା ‘ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର-୨୦୨୩’

ବିପର୍ଯ୍ୟୟ ପରିଚାଳନାରେ ଉତ୍କର୍ଷତା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସ୍‌ଡମା)କୁ ମିଳିଛି ମର୍ଯ୍ୟାଦାଜନକ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର-୨୦୨୩। ଶୁକ୍ରବାର ଦିନ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଜାତୀୟ ବିପର୍ଯ୍ୟୟ ବିପଦ ପ୍ରଶମନ ମଞ୍ଚ (ଏନ୍‌ପିଡିଆର୍‌ଆର୍‌)ର ତୃତୀୟ ଅଧିବେଶନକୁ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଠାରୁ ରାଜ୍ୟର ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲିକ ପୁରସ୍କାର ଗ୍ରହଣ କରିଥିଲେ। ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଓସ୍‌ଡମା ପରିଚାଳନା ନିର୍ଦ୍ଦେଶକ ନିକୁଞ୍ଜ ବିହାରୀ ଧଳ ମଧ୍ୟ ଉପସ୍ଥିତ ଥିଲେ। ପୁରସ୍କାର ପ୍ରଦାନ ପୂର୍ବରୁ ଗତ ୨୩ ବର୍ଷ ହେଲା ଓସ୍‌ଡମାର ବିପର୍ଯ୍ୟୟ ପରିଚାଳନାକୁ ନେଇ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା। ଓସ୍‌ଡମା ସହ ମିଜୋରାମର ଲୁଙ୍ଗଲେଇ ଦମକଳ ଷ୍ଟେସନକୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ପୁରସ୍କାର ବିତରଣ ପରେ ଓସ୍‌ଡମାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, ଓସ୍‌ଡମା ବାତ୍ୟା ସୁନାମି ପର୍ଯ୍ୟନ୍ତ ବିଭିନ୍ନ ବିପର୍ଯ୍ୟୟ ପରିଚାଳନାରେ ଉତ୍ତମ କାର୍ଯ୍ୟ କରୁଛି। ‌ପ୍ରଧାନମନ୍ତ୍ରୀ ଓସ୍‌ଡମା ଓ ଲୁଙ୍ଗଲେଇ ଦମକଳ ଷ୍ଟେସନର କର୍ମଚାରୀଙ୍କୁ ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇଥିଲେ। ପୁରସ୍କାର ବାବଦରେ ଓଡ଼ିଶାକୁ ୫୧ ଲକ୍ଷ ଟଙ୍କାର ଅର୍ଥରାଶି ଓ ସ‌ାର୍ଟିଫିକେଟ ପ୍ରଦାନ କରାଯାଇଛି। ଦେଶରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବି‌ଶେଷ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ନେତାଜୀଙ୍କ ଜୟନ୍ତୀ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। ପୁରସ୍କାର ପାଇଁ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କ ଠାରୁ କେନ୍ଦ୍ର ସରକାର ଆବେଦନ ଗ୍ରହଣ କରିଥାନ୍ତି। ଚଳିତବର୍ଷ ଓସ୍‌ଡମାକୁ ଅନୁଷ୍ଠାନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି।

ଓଡ଼ିଶାକୁ ପୁରସ୍କାର ପ୍ରଦାନ ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ଏହା ଓଡ଼ିଶା ପାଇଁ ଗୌରବର ବିଷୟ। ୧୯୯୯ ମହାବାତ୍ୟାରେ ଓଡ଼ିଶାର ଅନେକ ଧନ ଜୀବନ ନଷ୍ଟ ହୋଇଥିଲା। ଆମକୁ ଏହା ଅନେକ କିଛି ଶିକ୍ଷା ଦେଇଥିଲା। ଆମେ ପ୍ରଥମେ ଓଡ୍ରାଫ୍‌ ଟିମ ଗଠନ କରିଥିଲୁ। ଓଡ଼ିଶା ପ୍ରଥମ ରାଜ୍ୟ ଯିଏ କି ଅଗ୍ନିଶମ ବିଭାଗକୁ ମଲ୍‌ଟି ଟାସ୍କିଂ ଫୋର୍ସ ଭାବେ ବ୍ୟବହାର କରୁଛି। ଏହି ସମ୍ମାନ ନିଶ୍ଚିତଭାବେ ଆମକୁ ଆଗକୁ ଆହୁରି କାମ କରିବାକୁ ସାହସ ଦେବ ବୋଲି ସେ କହିଥିଲେ। ଓସ୍‌ଡମା ୧୯୯୯ରେ ସ୍ଥାପନ କରାଯାଇଥିଲା। ଏହା ହୁଡହୁଡ, ଫନି, ଅମ୍ପାନ ବାତ୍ୟା ସମେତ ୨୦୨୦ ବନ୍ୟା ମୁକାବିଲାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ବହୁ ଧନଜୀବନର ସୁରକ୍ଷା କରିପାରିଛି।ଏନ୍‌ପିଡିଆର୍‌ଆର୍‌ର ତୃତୀୟ ଅଧିବେଶନର ଉଦ୍‌ଘାଟନ ସମାରୋହରେ କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।