ଓଡ଼ିଶା ଆସିବେ ରାଷ୍ଟ୍ରପତି: ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି, ତ୍ରୁଟିଶୂନ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କର ଓଡ଼ିଶା ଆଗମନ ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ବୁଧବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ବୈଠକରେ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଳା ରାଷ୍ଟ୍ରପତିଙ୍କ ଗସ୍ତ ସମ୍ୱନ୍ଧିତ ପ୍ରାଥମିକ ସୂଚନା ଉପସ୍ଥାପନ କରିଥିଲେ । ରାଷ୍ଟ୍ରପତି ଭବନରୁ ପ୍ରାପ୍ତ ପ୍ରାରମ୍ଭିକ ସୂଚନା ଭିତ୍ତିରେ ଗସ୍ତ କରିବାକୁ ଥିବା ସମସ୍ତ ସ୍ଥାନରେ ନିର୍ଦ୍ଧାରିତ ପ୍ରୋଟୋକଲ୍ ଏବଂ କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ସମସ୍ତ ବ୍ୟବସ୍ଥା ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପୁଲିସ ବିଭାଗ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ମୁଖ୍ୟତଃ ରାଷ୍ଟ୍ରପତିଙ୍କ ଗସ୍ତ, ରହଣୀ ଓ ସଭା ଆଦି ସମୟରେ ଗାର୍ଡ ଅଫ୍ ଅନର, ଜାତୀୟ ସଂଗୀତ ବାଦନ, ବାରିକେଡ୍‌, ନିରାପତ୍ତା, ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା, ଇଣ୍ଟରନେଟ୍ ଓ ଟେଲି ଯୋଗାଯୋଗ, ବୈଷୟିକ ଉପକରଣ, ଟ୍ରାଫିକ୍ ପରିଚାଳନା, ସାଧାରଣ ଆଇନ୍ ଶୃଙ୍ଖଳା, ଗଣମାଧ୍ୟମ ପାଇଁ ଅନୁମତି ଆଦି ବିଷୟରେ ଆଲୋଚନା ହୋଇଥିଲା । ରାଷ୍ଟ୍ରପତି ଗସ୍ତ କରିବାକୁ ଥିବା ପ୍ରତି ସ୍ଥାନରେ ପୁଲିସ୍ ଏବଂ ସଂପୃକ୍ତ ବିଭାଗର ନୋଡାଲ୍ ଅଫିସର ନିୟୋଜିତ କରି ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଥିଲେ । ରାଷ୍ଟ୍ରପତିଙ୍କ ନିକଟକୁ ଯିବାକୁ ଥିବା ଏବଂ ତାଙ୍କ ସହ ସିଧାସଳଖ ଯୋଗାଯୋଗ କରୁଥିବା ସମସ୍ତ ବ୍ୟକ୍ତିଙ୍କର ଆର୍‌ଟିପିସିଆର ପଦ୍ଧତିରେ କୋଭିଡ୍ ପରୀକ୍ଷା ଏବଂ ଏନ୍‌-୫ ମାସ୍କ ପରିଧାନ ନିଶ୍ଚିତ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ଯେ ଚଳିତ ମାସ ୧୦ ଏବଂ ୧୧ ତାରିଖ ଦୁଇଦିନ ଧରି ରାଷ୍ଟ୍ରପତି ଓଡ଼ିଶାରେ ରହିବେ । ୧୦ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ସିଂହଦ୍ୱାର ନିକଟସ୍ଥ ଉତ୍କଳମଣି ପଣ୍ଡିତ୍ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିବେ । ତା’ପରେ ପୁରୀ ରାଜଭବନକୁ ଯିବେ । ଅପରାହ୍ନରେ ଭୁବନେଶ୍ୱର ଆସି ସହରର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଉତ୍କଳର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିମାନଙ୍କରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାସୁମନ ଅର୍ପଣ କରିବେ ।
ପରେ ପରେ ରାଷ୍ଟ୍ରପତି ମହୋଦୟା ରାଜଭବନ ଗସ୍ତ କରିବେ ଓ ସେଠାରେ ସିଭିକ୍ ରିସେପନ୍ କାର୍ଯ୍ୟକ୍ରମ ହେବାର ପ୍ରସ୍ତାବ ଅଛି । ୧୦ ତାରିଖ କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଜଭବନରେ ବିଶ୍ରାମ ନେବେ । ଗସ୍ତର ଦ୍ୱିତୀୟ ଦିନରେ (୧୧ ନଭେମ୍ବର) ରାଷ୍ଟ୍ରପତି ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ, ୟୁନିଟ୍‌-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବାର ସମ୍ଭାବନା ଅଛି । ପରେ ପରେ ରାଷ୍ଟ୍ରପତି ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ସମୂହ, ବିଜ୍ଞାନ ଓ ବୈଷୟିକ ଜ୍ଞାନ ଭାଷାକୋଷ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ବୈଷୟିକ ଭାଷାକୋଷ ଏବଂ ବିବିଧ ଭାରତୀୟ ଭାଷାରେ ଜ୍ଞାନ ପୋର୍ଟାଲ୍ ‘ଇ-କୁମ୍ଭ’ ଉନ୍ମୋଚନ କରିବେ । ଦ୍ୱିତୀୟ ଦିନ ଅପରାହ୍ନରେ ସେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ପାଲାମ ବିମାନ ବନ୍ଦର ଅଭିମୁଖେ ପତ୍ୟାବର୍ତ୍ତନ କରିବେ । ପୁଲିସ୍ ମହା ନିର୍ଦ୍ଦେଶକ ସୁନୀଲ କୁମାର ବଂଶଲଙ୍କ ସମେତ ସଂପୃକ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ । ପୁରୀ ଏବଂ ଖୋର୍ଦ୍ଧାର ଜିଲ୍ଲାପାଳ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଭାଗ ନେଇଥିଲେ ।

Odisha President to come: Extensive administrative preparations