ଓଡ଼ିଶାରେ ୧୮ ତାରିଖ ସୁଦ୍ଧା ବର୍ଷାର ସମ୍ଭାବନା ନାହିଁ :ଆଇଏମ୍‌ଡି ମହାନିର୍ଦ୍ଦେଶକ

ଓଡ଼ିଶାରେ ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ବର୍ଷାର ସମ୍ଭାବନା ନାହିଁ। କିଛି ସ୍ଥାନରେସାମାନ୍ୟ ବର୍ଷା ହୋଇପାରେ। ୧୯ ଓ ୨୦ରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଜଗତସିଂହପୁର ଜିଲ୍ଲାରେ ୭ରୁ ୧୨ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ହେଲେ ପୂର୍ବ ବର୍ଷା (୧୧ରୁ ହୋଇଥିବା ଲଘୁଚାପ ବର୍ଷା) ତୁଳନାରେ ଏଥର କମ୍‌ ବର୍ଷା ରହିବ। ସେପରି ବର୍ଷା ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।
ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି କି ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୮ ତାରିଖରେ ଉତ୍ତର ଓଡ଼ିଶା ଉପକୂଳରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେବ। ଏହା ବେଶି ଘନିଭୂତ ହେବାର ସମ୍ଭାବନା ନାହିଁ। ଅତି ବେଶିରେ ଏହା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ I
ସେ କହିଛନ୍ତି, “ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ୧୮ ତାରିଖ ସନ୍ଧ୍ୟା ପରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୧୯ ଓ ୨୦ ତାରିଖରେ ଉତ୍ତର ଓଡ଼ିଶାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଆଜି କିମ୍ବା ଆସନ୍ତା‘କାଲି ଓଡ଼ିଶାରେ ବର୍ଷାର ସମ୍ଭାବନା ନାହିଁ। ଛତିଶଗଡ଼ରେ ମଧ୍ୟ ଆସନ୍ତା ୩ ଦିନ ବର୍ଷା ହେବାର ସମ୍ଭାବନା ନାହିଁ । ସେଠାରେ କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ନଚେତ ବିକ୍ଷିପ୍ତ ଭାବେ ବର୍ଷା ହୋଇପାରେ। ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ନାହିଁ।”

Comments (0)
Add Comment