କୋଭିଡ ଟେଷ୍ଟିଂରେ ଓଡ଼ିଶା ଆଗୁଆ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ସମ୍ଭାବ୍ୟ କରୋନା ଲହରକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବିଶେଷକରି ରାଜ୍ୟରେ କୋଭିଡ ଟେଷ୍ଟିଂ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଥିବା ବେଳେ ଓଡ଼ିଶା ଏଥିରେ ଆଗୁଆ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସମ୍ଭାବ୍ୟ କରୋନା ଲହର ମୁକାବିଲା ପାଇଁ ସବୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏସସିବିରେ ଜିନମ ସିକ୍ୱେନ୍ସିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନଜର ରଖିଛନ୍ତି । ହକି ବିଶ୍ୱକପ ଥିବାରୁ ସଂକ୍ରମଣ ନବ୍ୟାପିବା ପାଇଁ ସରକାର ସତର୍କ ରହିଛନ୍ତି । ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିବା ବେଳେ ଥଣ୍ଡା ଓ ଛିଙ୍କ ହେଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ରାଜ୍ୟରେ ଟିକାକରଣକୁ ବ୍ୟାପକ କରିବା ପାଇଁ ଭ୍ୟାକସିନ ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
ରାଜ୍ୟରେ ଏବେ କୋଭିଡ୍ ଟିକା ମହଜୁଦ ନାହିଁ । ସେ ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ ପୂର୍ବରୁ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଜଣାଇ ସାରିଛନ୍ତି । ସେ ନିଜେ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶାକୁ କୋଭିଡ୍ ଟିକା ପଠାଇବାକୁ ଅନୁରୋଧ କରିବେ । ଅବଶ୍ୟ ଘରୋଇ ହସ୍ପିଟାଲରେ ଟିକା ମହଜୁଦ ଅଛି, କିନ୍ତୁ ସରକାରୀ ହସ୍ପିଟାଲରେ କୋଭିଡ୍ ଟିକା ବ୍ୟବସ୍ଥା କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ସରକାର କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ପରାମର୍ଶ ପାଳନ ଉପରେ ଗୁରୁତ୍ୱ ଦେଉଛନ୍ତି । ଗହଳି ସ୍ଥାନକୁ ନଯିବା, ମାସ୍କ ପିନ୍ଧିବା, ହାତ ଧୋଇବା ଆଦି ପାଳନ ଉପରେ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟବ୍ୟାପୀ ସମସ୍ତ ମେଡିକାଲରେ ଫିଭର କ୍ଲିନିକ ଜାରି ରହିବ । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଫିସରମାନେ ମଧ୍ୟ ସ୍ଥିତିକୁ ନେଇ ସତର୍କ ରହିଛନ୍ତି । ଆଗାମୀ ବିଶ୍ୱକପ୍ ହକିକୁ ଦୃଷ୍ଟିରେ ରଖି ଯେଭଳି କୋଭିଡ୍ ସଂକ୍ରମଣ ନହୁଏ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଛି । ରାଉରକେଲାରେୁ ହକି ମ୍ୟାଚ୍ ସ୍ଥଳରେ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ନିୟୋଜିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ସେହିପରି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ରାଜ୍ୟରେ କୋଭିଡ୍ ସ୍ଥିତି ଚିନ୍ତାଜନକ ନୁହେଁ । ଚୀନରେ କୋଭିଡ୍ ପରିସ୍ଥିତି ଯାହା ତା’ର କାରଣ ଅନେକ, ତାକୁ ନେଇ ଭୟ କରିବାର କାରଣ ନାହିଁ । ଓଡ଼ିଶାରେ କୋଭିଡର ବିଏଫ.୭ ଭାରିଏଣ୍ଟକୁ ନେଇ ଯେଉଁ ଆଶଙ୍କା କରାଯାଉଛି, ତାହା ଗତ ୩ରୁ ୪ମାସ ହେବ ରାଜ୍ୟରେ ଅଧିକ ସଂକ୍ରମିତ ଥିବା ସ୍ପଷ୍ଟ ହୋଇନାହିଁ । ତେଣୁ ବିଶେଷଜ୍ଞମାନଙ୍କ ପରାମର୍ଶରେ ରାଜ୍ୟ ସରକାର କୌଣସି ପ୍ରକାରର କଟକଣା ଜାରି କରିବେ ନାହିଁ । କେବଳ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଯିବାବେଳେ ଲୋକେ ସ୍ୱେଚ୍ଛାକୃତ ଭାବେ ଆବଶ୍ୟକ ପ୍ରତିଷେଧକ ପଦକ୍ଷେପ ନେବା ଉଚିତ୍ ବୋଲି ସେ କହିଛନ୍ତି ।
ଓଡ଼ିଶାରେ ଦୈନିକ ପ୍ରାୟ ୬-୭ହଜାର ପରୀକ୍ଷା ହେଉଛି । ସେମାନଙ୍କ ମଧ୍ୟରୁ ମାତ୍ର ୫-୬ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କୌଣସି ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ହେଉନି । ସେହିଭଳି ଦେଶରେ ବି ସର୍ବାଧିକ ୧୦୦ ଭିତରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ରହୁଛି । ଓଡ଼ିଶାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୦.୦୪% ହୋଇଥିବାବେଳେ ସମଗ୍ର ଦେଶରେ ଏହା ୦.୩% ଅଛି । ତେଣୁ ଗତ ୪ସପ୍ତାହର ସ୍ଥିତିକୁ ଅନୁଧ୍ୟାନ କରିବା ପରେ ସରକାର ରାଜ୍ୟରେ କୋଭିଡ୍ ସଂକ୍ରାନ୍ତ କୌଣସି କଟକଣା ବା ନିୟମ ଲାଗୁ କରିବାକୁ ଚାହୁଁନାହାନ୍ତି । ଏବେ ଯେଉଁ ସବୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସମସ୍ତଙ୍କର ଜିନୋମ ଟେଷ୍ଟିଂ କରାଯାଉଛି । ରାଜ୍ୟର ୩ଟି ସ୍ଥାନରେ ଏହି ଜିନୋମ ଟେଷ୍ଟିଂ ହେଉଛି । ଏହାବ୍ୟତିତ ରାଜ୍ୟରେ ଏବେ ଦୈନିକ କୋଭିଡ୍ ପରୀକ୍ଷା ଯାହା ହେଉଛି ସେଥିରୁ ୫୦% ଆରଟିପିସିଆର ଟେଷ୍ଟ ରହିଛି । ସବୁ ଜିଲ୍ଲାରେ ଏହି ଟେଷ୍ଟ ସୁବିଧା ରହିଛି ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି । ତେବେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ନିଜ ତରଫରୁ ସମସ୍ତ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣ ଔଷଧ, କିଟ୍ , ଅକ୍ସିଜେନ ଶଯ୍ୟା ଆଦି ପ୍ରସ୍ତୁତ ରଖିଛନ୍ତି । ଯାହାଫଳରେ ଯେକୌଣସି ପରିସ୍ଥିତିର ମୁକାବିଲା ସଙ୍ଗେସଙ୍ଗେ କରାଯାଇପାରିବ । ତା’ଛଡ଼ା ରାଜ୍ୟର ୯୦ ପ୍ରତିଶତ ଲୋକ ଦୁଇଟି ଡୋଜ୍ କୋଭିଡ୍ ଟିକା ନେଇସାରିଛନ୍ତି । ତେଣୁ ରାଜ୍ୟବାସୀ କୋଭିଡକୁ ନେଇ ଭୟଭୀତ ହେବାର କାରଣ ନାହିଁ ।
ତେବେ ବର୍ତ୍ତମାନ ସୁଦ୍ଧା କରୋନାକୁ ନେଇ ଭୟଭୀତ ହେବା ପରି ସ୍ଥିତି ହୋଇନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ କରୋନା ପୁଣି ଥରେ ଧୀରେ ଧୀରେ ତା’ର କାୟା ବିସ୍ତାର କରିଥିବା ବେଳେ ରାଜ୍ୟରେ ସେ ନେଇ ତତ୍ପରତା ବୃଦ୍ଧି ପାଇଛି । ଭାରତରେ କି ଓଡ଼ିଶାରେ ବିଶେଷ ସଂକ୍ରମଣ ବଢୁନାହିଁ । ପ୍ରମାଣଭିତ୍ତିକ କାମ କରବାକୁ ପଡ଼ିବ । ଅବସ୍ଥା ଦେଖି ବ୍ୟବସ୍ଥା କରିବା । ବର୍ତ୍ତମାନ କଣ ସ୍ଥିତି ରହିଛି ସେନେଇ ଆମେ ସରକାରଙ୍କୁ ଅବଗତ କରିଛୁ । ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ଲୋକ ଆତଙ୍କିତ ନହୁଅନ୍ତୁ । ଏହା ଓମିକ୍ରୋନର ସବ୍ ଭ୍ୟାରିଆଣ୍ଟ । ଥାର୍ଡ ୱେଭ ଓମିକ୍ରନ ପାଇଁ ହେଇଥିଲା । ହସ୍ପିଟାଲାଇଜେସନ୍ ମଧ୍ୟ କମ୍ ଥିଲା । ତେଣୁ ବର୍ତ୍ତମାନ ସୁଧା ଯାହା ଜଣାପଡୁଛି ଏହା ବ୍ୟାପିପାରେ । ହେଲେ ରୋଗ କରିବାର କ୍ଷମତା କେତେ ରହିବ କିମ୍ବା ହସ୍ପିଟାଲାଇଜେସନ କେତେ ହେବ ତାହା ବର୍ତ୍ତମାନ ଯାଏ ଜଣାପଡିନି । ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।