ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ଓଡ଼ିଶା ପ୍ରଭାରୀ ଓ ସହ-ପ୍ରଭାରୀ

ନୂଆଦିଲ୍ଲୀ: ଓଡ଼ିଶା ଗସ୍ତ ଶେଷ କରି ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ରାଜ୍ୟ ପ୍ରଭାରୀ ଓ ସହ-ପ୍ରଭାରୀ। ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟରେ ଓଡ଼ିଶା ବିଜେପିର ସାଙ୍ଗଠନିକ ରିପୋର୍ଟ ଉପସ୍ଥାପନ କରାଯାଇଛି। ଖବର ଅନୁଯାୟୀ, କିଛି ଦିନ ପୂର୍ବରୁ ରାଜ୍ୟ ପ୍ରଭାରୀ ଓଡ଼ିଶା ଗସ୍ତରେ ଆସି ବରିଷ୍ଠ ନେତା ଓ କର୍ମୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ଗସ୍ତ ସମୟରେ ସାଙ୍ଗଠନିକ ନେତୃତ୍ୱ, ଜିଲ୍ଲା ସଭାପତି, ପ୍ରଭାରୀ, ମନ୍ତ୍ରୀ ଏବଂ ସାଂସଦମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଥିଲା। ଗସ୍ତ ସାରି ଫେରିବା ପରେ ରାଜ୍ୟ ପ୍ରଭାରୀ ଡାଗୁବତୀ ପୁରନ୍ଦେଶ୍ୱରୀ ଏବଂ ସହ-ପ୍ରଭାରୀ ସ୍ୱଦେଶ ସିଂହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ରାଜ୍ୟର ସାଂଗଠନିକ ସ୍ଥିତି, ଦଳରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଭବିଷ୍ୟତର ପ୍ରାଥମିକତା ସମ୍ପର୍କରେ ଆଲୋଚନା ହୋଇଥିବା ସହ-ପ୍ରଭାରୀ ଶ୍ରୀ ସିଂହ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି।