ପ୍ରଶାସନିକ ଢାଞ୍ଚାରେ ଆସିବ ପରିବର୍ତ୍ତନ,ବଣ୍ଟା ହେବ କ୍ଷମତା

ଭୁବନେଶ୍ୱର: ଆଗାମୀ ଦିନରେ କାର୍ଯ୍ୟର ଭାର ଯେପରି ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ନ ରହିବ ସେଥିପାଇଁ ପ୍ରଶାସନିକ ଢାଞ୍ଚାରେ କେତେକ ପରିବର୍ତ୍ତନ କରାଯିବ। ସରକାରୀ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ ଗତିଶୀଳ କରିବା ପାଇଁ ସରକାର ଗୁରୁତ୍ୱ ଦେଇଛନ୍ତି। କ୍ଷମତାର ବିକେନ୍ଦ୍ରୀକରଣ କରାଯାଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିଯୁକ୍ତି ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ସଚିବଙ୍କ ଭୂମିକା ପୂର୍ବରୁ ନ ଥିବାବେଳେ ଏବେ ସେମାନଙ୍କୁ ସମ୍ପୃୃକ୍ତ କରାଯିବ। ଅର୍ଥାତ୍‌ ସଚିବମାନେ ମନ୍ତ୍ରୀଙ୍କ କ୍ଷମତା ନିର୍ବାହ କରିବେ ବୋଲି ଜଣାପଡ଼ିଛି। ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକର ନିଷ୍ପତ୍ତିକୁ ଆଧାର କରି ମେ’ ୨୮ରେ ଯୋଜନା ଓ ସଂଯୋଜନା ବିଭାଗ ଅତିରିକ୍ତ ସଚିବ ମଧୁସ୍ମିତା ସାମଲ ସବୁ ବିଭାଗୀୟ ମୁଖ୍ୟଙ୍କୁ ଅବଗତ କରାଇଛନ୍ତି। ସଂପ୍ରତି ରାଜ୍ୟ ସରକାରରେ ବିଭିନ୍ନ ବର୍ଗର କର୍ମଚାରୀଙ୍କ ନିଯୁକ୍ତି ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ଗ୍ରୁପ୍‌-ବି’ ଅଧିକାରୀଙ୍କଠାରୁ ଗ୍ରୁପ୍‌-ଏ’ ଅଧିକାରୀ(ପାହ୍ୟା-୧୨ ତଥା ଅନୁସଚିବ)ଙ୍କ ପର୍ଯ୍ୟନ୍ତ ସମ୍ପୃକ୍ତ ବିଭାଗର ମନ୍ତ୍ରୀ ହିଁ ନିଷ୍ପତ୍ତି ନେଉଛନ୍ତି। ସେହିପରି ଗ୍ରୁପ୍‌-ଏ’(ପାହ୍ୟା-୧୨)ଠାରୁ ତଦୂର୍ଦ୍ଧ୍ୱ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଏବଂ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଉଛନ୍ତି। ଏହାଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଉପରେ କାର୍ଯ୍ୟଭାର ବଢ଼ିଚାଲିଛି।
ତଦନୁଯାୟୀ, ସମ୍ପୃକ୍ତ ବିଭାଗର ସଚିବମାନେ ନିଯୁକ୍ତି ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କର୍ତ୍ତୃପକ୍ଷ ଭାବେ ଦାୟିତ୍ୱରେ ରହିବେ। ପୂର୍ବରୁ ବିଭାଗୀୟ ମନ୍ତ୍ରୀମାନେ ଯେପରି ଗ୍ରୁପ୍‌-ବି’ ଅଧିକାରୀଙ୍କଠାରୁ ଗ୍ରୁପ୍‌-ଏ’ ଅଧିକାରୀ(ପାହ୍ୟା-୧୨ ତଥା ଅନୁସଚିବ)ଙ୍କ ନିଯୁକ୍ତି ଏବଂ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି ନେଉଥିଲେ, ଏବେ ଉକ୍ତ ଦାୟିତ୍ୱ ସମ୍ପୃକ୍ତ ବିଭାଗ ସଚିବ ନିର୍ବାହ କରିବେ। ଅନ୍ୟପକ୍ଷରେ ସମ୍ପୃକ୍ତ ବିଭାଗ ମନ୍ତ୍ରୀ ଗ୍ରୁପ୍‌-ଏ’(ପାହ୍ୟା-୧୨ରୁ ତଦୂର୍ଦ୍ଧ୍ୱ)ବର୍ଗର ଚାକିରିଆଙ୍କଠାରୁ ଆରମ୍ଭ କରି ଗ୍ରୁପ୍‌-ଏ’(ପାହ୍ୟା-୧୪ ବା ଯୁଗ୍ମସଚିବ)ଙ୍କ ପର୍ଯ୍ୟନ୍ତ ନିଯୁକ୍ତି ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେବେ। ହେଲେ ମୁଖ୍ୟମନ୍ତ୍ରୀ କେବଳ ଗ୍ରୁପ୍‌-ଏ(ପାହ୍ୟା-୧୪)ବର୍ଗଙ୍କଠାରୁ ଊର୍ଦ୍ଧ୍ୱ ବର୍ଗଙ୍କ ନିଯୁକ୍ତି ଓ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେବେ। ଏନେଇ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ସରକାରଙ୍କ ଅନୁମୋଦନ ଆଣିବା ପରେ ଏହି ପ୍ରକ୍ରିୟାରେ ପ୍ରଶାସନିକ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି। ।