ଭୁବନେଶ୍ୱର: ଓଡ଼ିଶା ମାଟି ତଳେ କେବଳ ଲୁହା କିମ୍ବା ବକ୍ସସାଇଟ୍ ନୁହେଁ, ବରଂ ଅମୂଲ୍ୟ ହୀରା ଓ ମାଣିକ ପଥର ମଧ୍ୟ ଗଚ୍ଛିତ ରହିଛି। ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା କାଲମିଦାଦର ଅଞ୍ଚଳରେ ହୀରା ଥିବାର ସନ୍ଧାନ ମିଳିଛି। ସେହିପରି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ହିଞ୍ଜିଳିବାହାଲ-ଜିଲିଙ୍ଗିବାରେ ମାଣିକ ପଥର ଖଣି ଥିବା ଜଣାପଡ଼ିଛି। ଏହି ଦୁଇଟି ଯାକ ସ୍ଥାନରେ ଏବେ ଅଧିକ ଅନୁସନ୍ଧାନ ଜାରି ରହିଛି। ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ମଦନାସାହି-କାଞ୍ଜିଆ ଅଞ୍ଚଳରେ ତମ୍ବାବାହୀ ପଥର ସହିତ ସୁନା ଥିବାର ଆକଳନ ହୋଇଛି। ଏହି ସମସ୍ତ ଅଞ୍ଚଳରେ ଭୂତାତ୍ତ୍ୱିକ ସର୍ବେକ୍ଷଣ ଓ ଅଧିକ ଅନୁସନ୍ଧାନ ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।