ବିହାରରେ ନୀତିଶ ପାଇଁ ବଢୁଛି ଅଡୁଆ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ଖୋଲାଖୋଲି ରଣହୁଙ୍କାର ଦେଇଛନ୍ତି ଜେଡିୟରୁ ହେଭିୱେଟ ନେତା ତଥା ବିହାର ଜେଡିୟୁର ସଂସଦୀୟ ବୋର୍ଡର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱା । ନୀତିଶ ଓ ଜେଡିୟୁର ଅନେକ ନେତାଙ୍କୁ ଟାର୍ଗେଟ କରୁଥିବା କୁଶୱା ପୁଣି ଥରେ ତେରଛା ବାଣ ମାରିଛନ୍ତି । କୁଶୱା କହିଛନ୍ତି, ବଡ ପଦବୀ ଦେବା ନାଁରେ ନୀତିଶ ତାଙ୍କୁ ଠକିଛନ୍ତି, ତାଙ୍କ ହାତରୁ ପାୱାର ନେଇ ଅଧିକାର ଛଡାଇ ନେଇଛନ୍ତି । କୌଣସି ନିର୍ବାଚନ ଓ ନିଷ୍ପତିରେ ମୋର ମତାମତ ଲୋଡାଯାଉନି । ବଡ ପଦ ଦେବା ପ୍ରତିଶ୍ରୁତି ଦେଇ ମୋ ହାତରେ ଲଲିପପ୍ ଧରାଇଛନ୍ତି ନିତିଶ । ଯୋଗ୍ୟତା ଅନୁସାରେ ପଦ ଓ ସମ୍ମାନ ମିଳୁ । ଉପଯୁକ୍ତ ସମ୍ମାନ ଓ ଅଧିକାର ନ ମିଳିବା ପର୍ଯ୍ୟନ୍ତ ସେ ଦଳ ଛାଡିବେନି କହିଛନ୍ତି କୁଶୱା ।

ତେବେ ଆଗାମୀ ନିର୍ବାଚନରେ ତେଜସ୍ୱୀ ଯାଦବ ନେତୃତ୍ୱରେ ଦଳ ନିର୍ବାଚନ ଲଢିବ ବୋଲି ଘୋଷଣା କରିସାରିଛି । ଘୋଷଣା ପରଠୁ ନୀତିଶ ଓ ଉପେନ୍ଦ୍ରଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି । ଉପେନ୍ଦ୍ର କୁଶୱା ଅସନ୍ତୋଷ ନେତାଙ୍କ ସ୍ୱର ଭାବେ ନୀତିଶଙ୍କ ଆଗରେ ଛିଡା ହୋଇଛନ୍ତି । ଜେଡିୟୁ ଓ ଆରଜେଡି ମଧ୍ୟରେ ସିକ୍ରେଟ ଡିଲ ହୋଇଛି । ଏବଂ ବିହାର ଜେଡିୟୁର ଅନେକ ବଡ ନେତା ବିଜେପି ସହିତ ଯୋଗାଯୋଗରେ ଅଛନ୍ତି ବୋଲି ଅଭିଯୋଗ ଆଣୁଛନ୍ତି କୁଶୱା ।

ସେପଟେ ଏ ସବୁ କଥାକୁ ଆଡେଇ ଦେଇ ନୀତିଶ କହିଥିଲେ ଯେ, ଯାହାର ଇଚ୍ଛା ଅଛି ସେ ଦଳରେ ରୁହନ୍ତୁ ବା ଚାଲି ଯାଆନ୍ତୁ । ଦଳକୁ କିଛି ଫରକ ପଡିବନି । ତେବେ ପଦ, ପଦବୀ ଓ ପାୱାରକୁ ନେଇ ଦିନକୁ ଦିନ ନୀତିଶ ଓ କୁଶୱାଙ୍କ ଭିତରେ ମତଭେଦ ବଢିବାରେ ଲାଗିଛି । ସେପଟେ ଦଳୀୟ କନ୍ଦଳକୁ ନେଇ ବିଜେପି ଫାଇଦା ଉଠାଇପାରେ ବୋଲି ଚର୍ଚ୍ଚା ହେଉଛି ।