ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ ନୂଆପଡା ନିର୍ବାଚନର ଫଳାଫଳ। ପ୍ରାୟ ଦିନ ତିନିଟାରେ ସଂପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇଯିବ। ତେବେ ଆସନ୍ତାକାଲି ଗଣତି ହେବାକୁ ଥିବାରୁ ବର୍ତ୍ତମାନ ତିନି ଦଳର ତିନି ପ୍ରାର୍ଥୀଙ୍କ ଛାତି ଧଡଧଡ ହେବାରେ ଲାଗିଛି। କେତେବେଳେ ସକାଳ ପାଇବ, ଗଣତି ଆରମ୍ଭ ହେବ ସେ ନେଇ ଆଶା ଓ ଆଶଙ୍କା ମଧ୍ୟରେ ଅଛନ୍ତି ପ୍ରାର୍ଥୀ ଓ ନେତା। ତେବେ ଫଳାଫଳ ପୂର୍ବରୁ ଚିନି ପ୍ରମୁଖ ଦଳ ସେମାନଙ୍କ ହିସାବ କିତାବ କରିସାରିଲେଣି। କିଏ କେତେ ଭୋଟରେ ଜିତିବ ତାହାର ଏକ ଆକଳନ କରିସାରିଲେଣି। ତିନିଦଳର ଆକଳନକୁ ମିଶାଇ ଯଦି ଆଉ ଏକ ଆକଳନ ବାହାର କରାଯାଏ ତେବେ ତାହା ସ୍ପଷ୍ଟ ହେବ ଯେ, ଯିଏ ଜିତିବ ସେ ପ୍ରାୟ 10 ରୁ 15 ହଜାର ବ୍ୟବଧାନରେ ଜିତିବ। ବିଜେଡି ସରକାରରେ ଥିବା ବେଳେ ଯେପରି ଉପନିର୍ବାଚନଗୁଡିକରେ 50 ହଜାର ଉପରେ ପ୍ରାର୍ଥୀମାନେ ଜିତୁଥିଲେ ତାହା ନୂଆପଡାରେ ପରିଲକ୍ଷିତ ହେବ ନାହିଁ। ବିଜେଡି ନେତ୍ରୀ ତଥା ବିଧାୟକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ 10 ହଜାର ଭୋଟ ବ୍ୟବଧାନରେ ବିଜୟଲାଭ କରିବେ। ହେଲେ ସେ କହିବା କଥା ଯେ, ଯଦି ଭୋଟ ଗ୍ରହଣ ଠିକ ଭାବରେ କରାଯାଇଥିବ ତେବେ ବିଜେଡି ନିଶ୍ଚିତ ଜିତିବ। ଅର୍ଥାତ ପ୍ରମିଳାଙ୍କ ଇଭିଏମ ଉପରେ ସନ୍ଦେହ ରହିଛି। ସେ କହିଛନ୍ତି ଯେ, କେତେକ ବୁଥରେ ଯାହା ଟିପିଲେ ସେଠାରେ ବିଜେପିକୁ ଭୋଟ ଯାଉଥିଲା। ତେଣୁ ଭୋଟ ଗଡବଡ ହୋଇଥିବାର ଆଶଙ୍କା ରହିଛି। ସେହିପରି କଂଗ୍ରେସ ନିଜର ଫଳାଫଳ କଣ ହେବ ସେ ନେଇ ଜୋର କରି କେହି କହି ପାରୁ ନାହାଁନ୍ତି। ତେବେ କେତେକ ନେତା ସେମାନଙ୍କର ଆକଳନ କରି ନିଜର ମତ ଦେଇଛନ୍ତି। ସେମାନେ କହିଛନ୍ତି ଯେ, ଘାସିରାମ ମାଝୀ ବିଜେପିଠାରୁ ଦଶ ହଜାର ଭୋଟରେ ବିଜୟ ଲାଭ କରିବ। ତେବେ କଂଗ୍ରେସର ଟାଣୁଆ ନେତା ଏପରି ଆକଳନ ନେଇ ଚୁପ ରହିଛନ୍ତି। ସେମାନେ କଂଗ୍ରେସ ପ୍ରତି ଏକ ଅଣ୍ଡର କରେଣ୍ଟ ପ୍ରବାହିତ ହେବ ବୋଲି ଆଶା ବାନ୍ଧି ବସିଛନ୍ତି।