ଇନ୍‌ସ୍ୟୁରାନ୍ସ ନଥିଲେ ଆଜିଠୁ ଇ-ଚାଲାଣ

ଭୁବନେଶ୍ୱର : ବୀମା ନଥାଇ ଗାଡ଼ି ଚଳାଉଥିଲେ ଆସନ୍ତାକାଲି (ଫେବୃଆରୀ ୧)ଠାରୁ ଚାଲାଣ କଟିବ। ମୋଟର ଯାନର ବୀମା ନଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲ୍‌ଗେଟ୍‌। ଇ-ଡିଟେକ୍ସନ୍ ପ୍ରକ୍ରିୟାରେ ଗାଡ଼ି ମାଲିକଙ୍କ ନାମରେ ଜାରି ହେବ ଇ-ଚାଲାଣ। ଆସନ୍ତାକାଲି ଠାରୁ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ସମସ୍ତ ୨୨ଟି ଟୋଲ୍‌ଗେଟ୍‌ରେ ଏହା କାର୍ଯ୍ୟକାରୀ ହେବ। ଟୋଲଗେଟ୍‌ଗୁଡିକରେ ପ୍ରତିଟି ଲେନ୍‌ରେ ଉଚ୍ଚକ୍ଷମତା ସମ୍ପର୍ଣ୍ଣ କ୍ୟାମେରା ଲାଗିଛି। ସେହି କ୍ୟାମେରା ଗୁଡ଼ିକ ବାହାନ ପୋର୍ଟାଲ୍ ସହିତ ସଂଯୋଗୀକରଣ ହୋଇଥିବାରୁ ଏହା ଦ୍ୱାରା ଉଠାଯାଉଥିବା ପ୍ରତିଟି ଫଟୋ ବାହାନ ପୋର୍ଟାଲ୍‌ରେ ଷ୍ଟୋର୍ ହୋଇଥାଏ। ବାହାନ ପୋର୍ଟାଲ୍‌ର ଇ-ଡିଟେକ୍ସନ୍ ବ୍ୟବସ୍ଥା ଷ୍ଟୋର୍ ହେଉଥିବା ସେହି ଫଟୋରୁ ଗାଡ଼ିର ରେଜିଷ୍ଟେସନ୍ ନମ୍ବରକୁ ଚିହ୍ନଟ କରି ଗାଡ଼ିର ବୈଧ ବୀମା ଅଛି ବା ନାହିଁ ତାହା ଜାଣି ପାରିବ। ଏବଂ ଏହାର କିଛି କ୍ଷଣ ମଧ୍ୟରେ ସ୍ୱୟଂକ୍ରିୟ ପ୍ରଣାଳୀରେ ଗାଡ଼ିର ଚାଲାଣ କଟିବ ବୋଲି ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ କହିଛନ୍ତି। ସେ କହିଛନ୍ତି ଯେ ମୋଟର ଯାନ ଆଇନର ଧାରା ୧୪୬ ଅନୁଯାୟୀ ପ୍ରତ୍ୟେକ ମୋଟର ଯାନ ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ। ଏହାର ଉଲ୍ଲଂଘନ କଲେ ଧାରା ୧୯୬ ଅନୁଯାୟୀ ହଜାର ଟଙ୍କା ଜୋରିମାନା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି। ଏଭଳି ବାରମ୍ବାର ନିୟମ ଉଲ୍ଲଘଂନ କଲେ ଜୋରିମାନା ରାଶି ୪ ହଜାର ଟଙ୍କା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ବି ରହିଛି। ବୈଧ ବୀମା ନଥାଇ ଗାଡ଼ି ଚଳାଉଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଫେବୃଆରୀ ପହିଲାରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଗତ ୧୮ ତାରିଖ ଦିନ ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା। ତେଣୁ ଗାଡ଼ିର ବୀମା ନ ଥିଲେ ତୁରନ୍ତ ବୀମା କରାଇ ନେବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପରାମର୍ଶ ଦିଆଯାଇଛି।ଅନେକ ଘରୋଇ ଓ ବ୍ୟବସାୟିକ ଗାଡ଼ି ନିୟମ ଉଲ୍ଲଘଂନ କରି ବୀମା କରୁନାହାନ୍ତି। ଫଳରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ମୃତକଙ୍କ ପରିବାର ଅନୁକମ୍ପାମୂଳକ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି।