ଭୁବନେଶ୍ବର: ଚୌଦ୍ୱାର ଜେଲରୁ ଫେରାର ହୋଇ ପରବର୍ତ୍ତୀ ସମୟରେ ଧରାପଡ଼ିଥିବା ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ବ୍ରହ୍ମପୁର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ଅତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାକୁ କଟକରୁ ବ୍ରହ୍ମପୁର ପଠାଯାଇଛି। ରାଜା ସାହାଣୀର ସ୍ଥାନାନ୍ତର ପ୍ରକ୍ରିୟା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏହି ଅପରେସନରେ ଜଣେ ଆଇଆଇସି (IIC), ସ୍ୱତନ୍ତ୍ର ସ୍କ୍ୱାର୍ଡର ଦୁଇ ଜଣ ସଦସ୍ୟ ଏବଂ ଏକ ସେକ୍ସନ ଫୋର୍ସଙ୍କୁ ନିୟୋଜିତ କରାଯାଇଥିଲା। ଅତ୍ୟନ୍ତ ଗୋପନୀୟତା ଓ ସତର୍କତା ସହ ତାକୁ ବ୍ରହ୍ମପୁର ଜେଲ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ରାଜା ଦୁଇ ଦୁଇ ଥର ଜେଲରୁ ଖସିଯିବାକୁ ଉଦ୍ୟମ କରିଥିଲା। ଶେଷରେ ସେ ଚୌଦ୍ୱାର ଜେଲର ସୁରକ୍ଷା ବଳୟ ଭେଦି ଫେରାର ହୋଇଯିବାରେ ସଫଳ ହୋଇଥିଲା। ରାଜାର ଅପରାଧିକ ରେକର୍ଡ ଏବଂ ବାରମ୍ବାର ଫେରାର ହେବା ପ୍ରବୃତ୍ତିକୁ ଦୃଷ୍ଟିରେ ରଖି ସୁରକ୍ଷା କାରଣରୁ ତାକୁ ଅଧିକ ସୁରକ୍ଷିତ ବ୍ରହ୍ମପୁର ସର୍କଲ ଜେଲକୁ ପଠାଯାଇଛି।