ସଂଗଠନ ପାଇଁ ନୁହେଁ, ଖଣି ଅଞ୍ଚଳରୁ ଦଳୀୟ ପାଣ୍ଠି ସଂଗ୍ରହ ପାଇଁ : ଜୟନାରାୟଣ

ବଦଳିଲେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ୪ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି । ସେ ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା କଥା ବୁଝିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲାରୁ ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସମ୍ବଲପୁରରୁ ଆସୁଥିବାରୁ, ଏହାକୁ ଦୃଷ୍ଟିରେ ରଖି ବିଜେଡି ପ୍ରଣବ ପ୍ରକାଶଙ୍କୁ ଏସବୁ ଜିଲ୍ଲାର ପର୍ଯ୍ୟବେକ୍ଷକ କରିଥିବ ଚର୍ଚ୍ଚା ହେଉଛି । ସେ କହିଛନ୍ତି, ସଂଗଠନ ପାଇଁ ନୁହେଁ ବରଂ ଖଣି ଅଞ୍ଚଳରୁ ଦଳୀୟ ପାଣ୍ଠି ସଂଗ୍ରହ ପାଇଁ ତାଙ୍କୁ ଦାୟିତ୍ବ ଦିଆଯାଇଛି।

ଜୟ କହିଛନ୍ତି ଯେ, ସେ ତ ଜଣେ କ୍ରୀତଦାସ । ସେ କଣ କରିବେ । ମୋତେ ଲାଗୁନାହିଁ ତାଙ୍କୁ ସଂଗଠନ ପାଇଁ ଦାୟିତ୍ବ ଦିଆଯାଇଛି । ଯେଉଁ ଜିଲ୍ଲା ଗୁଡିକର ଦାୟିତ୍ବ ଦିଆଯାଇଛି, ସେହି ଜିଲ୍ଲା ଗୁଡିକ ହେଉଛି ଖଣି ସମ୍ପଦ ପରିପୂର୍ଣ୍ଣ ଜିଲ୍ଲା । ତେଣୁ ଖଣି ଖାଦନରୁ କିଭଳି ଦଳୀୟ ପାଣ୍ଠି ସଂଗ୍ରହ ହୋଇପାରିବ ସେଥିପାଇଁ ତାଙ୍କୁ ଦାୟିତ୍ବ ଦିଆଯାଇଛି । ସେଥିପାଇଁ ବିଜେପି ଆଦୌ ଚିନ୍ତିତ ନୁହେଁ । ଖଣି ଖାଦାନ ଓ ଶିଳ୍ପରୁ କେମିତି ପଇସା ଅସୁଲ କରାଯିବ, ଆଗକୁ ନିର୍ବାଚନ ଆସୁଛି ସେଥିରେ ଖର୍ଚ୍ଚ କରାଯିବ ସେହି ଯୋଜନାରେ ତାଙ୍କୁ ଦାୟିତ୍ବ ଦିଆଯାଇଛି ।

ବିଜେଡିକୁ ଟାର୍ଗେଟ କରି ଜୟ କହିଛନ୍ତି, ସରକାର ଦୁର୍ନୀତିରେ ବୁଡି ରହିଛି । ସବୁ କ୍ଷେତ୍ରରେ ଦୁର୍ନୀତି ହୋଇଛି । ଯେତେ ଦୁର୍ନୀତି ହୋଇଛି, ଏଠି ସିବିଆଇ ଇଡି ଆସିବା କଥା । ଆଗକୁ ଆସିପାରେ ମଧ୍ୟ । ବହୁ ଚର୍ଚ୍ଚିତ ବ୍ଲାକରୋଜ ପ୍ରସଙ୍ଗ ଉଠାଇ ଜୟ କହିଛନ୍ତି, ଏହି ପ୍ରସଙ୍ଗର ମାମଲା ବନ୍ଦ ହୋଇନାହିଁ । ଆଗକୁ ଖୋଲିପାରେ ମଧ୍ୟ । ବିଜେଡି ପାଖରେ ତିନୋଟି ଶକ୍ତି ଅଛି । ଅର୍ଥବଳ, ବାହୁବଳ ଓ ସରକାରୀ କଳ। ତାଙ୍କ ପାଖରେ ଲୋକ ସମର୍ଥନ ନାହିଁ । ଅର୍ଥବଳ, ବାହୁବଳ ଓ ସରକାରୀ କଳକୁ ବ୍ୟବହାର କରି ବିଜେଡି ନିର୍ବାଚନ ଜିତୁଛି । ତାକୁ କେମିତି ପ୍ରତିରୋଧ କରାଯିବ ଆମେ ଯୋଜନା କରୁଛୁ ବୋଲି ଜୟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ଉଭୟ ବିଜେପି ଓ ବିଜେଡି ପ୍ରସ୍ତୁତି ଜୋରଦାର କରିଛନ୍ତି । ଗୋଟିଏ ପଟେ ବିଜେପିର ନୂତନ ରାଜ୍ୟ ସଭାପତି ଦାୟିତ୍ଵ ନେବା ପରେ ଚଳଚଞ୍ଚଳ ହୋଇପଡିଛି ରାଜ୍ୟ କାର୍ଯ୍ୟାଳୟ । ସବୁ ନେତୃବୃନ୍ଦ ଏକାଠି ହୋଇ ରୁଦ୍ଧଦ୍ବାର ବୈଠକ କରୁଛନ୍ତି । ଗତ ରବିବାର ବିଜେପିର ସମ୍ବର୍ଦ୍ଧନା ସଭାରେ ନେତୃବୃନ୍ଦ ମାନେ ଯେଉଁ ଭଳି ଭାବେ ଭାଷଣ ଦେଲେ ସେଥିରୁ ଅନୁମାନ କରାଯାଉଥିଲା ବିଜେପି ପୁରା ଜୋଶ ଫେରିପାଇଛି । ସେପଟେ ଗତକାଲି ବିଜେଡି ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି । ଯାହାକୁ ନେଇ ରାଜ୍ୟ ରାଜନୀତି ପୁରା ସରଗରମ ହୋଇ ଯାଇଛି ।