ନୂଆଦିଲ୍ଲୀ: ୟୁପିଆଇ (UPI) କାରବାର ଉପରେ କେନ୍ଦ୍ର ସରକାର ଲଗାଇଥିବା ନୂଆ ଶୁଳ୍କକୁ ନେଇ ସାରା ଦେଶର ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ବିରୋଧରେ ଆସନ୍ତା ଅକ୍ଟୋବର ୨ ତାରିଖରେ ଏକ ବୃହତ୍ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।ସରକାର ୨୦୦୦ ଟଙ୍କାରୁ ଅଧିକ କାରବାର ଉପରେ ୦.୪ ପ୍ରତିଶତ ଶୁଳ୍କ ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ପ୍ରତିବାଦ କରି ବ୍ୟବସାୟୀ ସଂଗଠନଗୁଡ଼ିକ ଅକ୍ଟୋବର ୨କୁ ‘ନୋ ୟୁପିଆଇ ଡେ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହି ଦିନ କୌଣସି ବ୍ୟବସାୟୀ କିମ୍ବା ଦୋକାନୀ ୟୁପିଆଇ ମାଧ୍ୟମରେ ଟଙ୍କା ଗ୍ରହଣ କରିବେ ନାହିଁ। ଏଥିସହିତ ୟୁପିଆଇ କ୍ୟୁଆର୍ କୋଡ୍, ସ୍କାନର୍, ସାଉଣ୍ଡ ବକ୍ସ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପେମେଣ୍ଟ ଡିଭାଇସ୍ଗୁଡ଼ିକୁ କଳା କପଡ଼ାରେ ଘୋଡ଼ାଇ ନିଜର ପ୍ରତିବାଦ ଜାହିର କରିବେ। ଅକ୍ଟୋବର ୧୫ରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ଶୁଳ୍କକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ମହାରାଷ୍ଟ୍ର ଚାମ୍ବର ଅଫ୍ କମର୍ସ, ଇଣ୍ଡଷ୍ଟ୍ରି ଆଣ୍ଡ ଏଗ୍ରିକଲଚରର ସଭାପତି ରବୀନ୍ଦ୍ର ମଙ୍ଗଭେଙ୍କ ସୂଚନା ଅନୁସାରେ, ଏହି ପ୍ରତିବାଦ କେବଳ ମହାରାଷ୍ଟ୍ରରେ ସୀମିତ ନରହି ଦେଶର ୫୦୦ରୁ ଅଧିକ ପ୍ରମୁଖ ବେପାରୀ ସଂଗଠନଙ୍କ ସହଯୋଗରେ ସାରା ଦେଶରେ ପାଳିତ ହେବ। ଏହି ଦାବି ପ୍ରତି ଅଲ୍ ଇଣ୍ଡିଆ କଞ୍ଜୁମର ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁସନ ଫେଡେରେସନ, ଫେଡେରେସନ ଅଫ ରିଟେଲ ଟ୍ରେଡର୍ସ ୱେଲଫେୟାର ଆସୋସିଏସନ, ଅଲ ଇଣ୍ଡିଆ ମୋବାଇଲ ରିଟେଲର୍ସ ଆସୋସିଏସନ ଏବଂ ଅଲ ଇଣ୍ଡିଆ ଜ୍ୱେଲର୍ସ ଆଣ୍ଡ ଗୋଲ୍ଡସ୍ମିଥ ଆସୋସିଏସନ ଭଳି ପ୍ରମୁଖ ସଂଗଠନଗୁଡ଼ିକ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।