ଭୁବନେଶ୍ୱର: ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର। ଏଣିକି ବର୍ଷକୁ ୧୦ ଦିନ ବିନା ବ୍ୟାଗରେ ସ୍କୁଲ ଆସିବେ ଛାତ୍ରଛାତ୍ରୀ। ଜାତୀୟ ଶିକ୍ଷା ନୀତି (NEP-2020)କୁ ସ୍କୁଲ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନୂତନ ଶିକ୍ଷା ନୀତି ଆଧାରରେ ପାଠ୍ୟକ୍ରମର ରୂପରେଖରେ ବ୍ୟାପକ ପରିବର୍ତ୍ତନ କରାଯିବା ସହ ଶିକ୍ଷାଦାନ ପଦ୍ଧତିକୁ ଅଧିକ ସହଜ ଓ ପ୍ରଭାବଶାଳୀ କରାଯିବ। ବିଶେଷ କରି ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠ୍ୟଭାର ହ୍ରାସ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ଶିଶୁ ବାଟିକା (ପ୍ରାକ୍-ପ୍ରାଥମିକ) ପିଲାଙ୍କ ପାଇଁ ପ୍ରତି ଶନିବାର ଦିନ ‘ବସ୍ତାନିବିହୀନ ଦିବସ’ ରହିବ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାବର୍ଷ ମଧ୍ୟରେ ୧୦ ଦିନ ବିନା ବ୍ୟାଗରେ ସ୍କୁଲ ଆସିବାକୁ ଅନୁମତି ମିଳିବ। ନୂଆ ଶିକ୍ଷା ସୂଚୀ ଅନୁସାରେ, ଗୋଟିଏ ଶିକ୍ଷାବର୍ଷରେ ମୋଟ ୨୩୦ ଦିନ ସ୍କୁଲ ଖୋଲା ରହିବ। ସେଥିମଧ୍ୟରୁ ୧୯୦ ଦିନ ଶିକ୍ଷାଦାନ କରାଯିବ ଏବଂ ପ୍ରତିଦିନ ସ୍କୁଲରେ ୭ଟି ପିରିଅଡ୍ ରହିବ। ବାକି ୨୦ ଦିନ ସ୍କୁଲର ବାର୍ଷିକୋତ୍ସବ, କ୍ରୀଡ଼ା ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଧାର୍ଯ୍ୟ କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ପିଲାମାନେ ମାନସିକ ଚାପରୁ ମୁକ୍ତ ହୋଇ ପାଠପଢ଼ା ପ୍ରତି ଅଧିକ ଆକର୍ଷିତ ହେବେ ବୋଲି ଆଶା କରାଯାଉଛି।