ଏଚ୍-ଓ୍ୱାନ ବି ଭିସା ପାଇଁ ଆମେରିକା ଛାଡିବାକୁ ପଡ଼ିବ ନାହିଁ: ପ୍ରଧାନମନ୍ତ୍ରୀ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓ୍ୱାଶିଂଟନର ରୋନାଲ୍ଡ ରେଗନ ବିଲଡିଂରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରି ଘୋଷଣା କରିଛନ୍ତି ଯେ, ବେଙ୍ଗାଲୁରୁ ଏବଂ ଅହମ୍ମଦାବାଦରେ ନୂଆ କନସୁଲେଟ ବା ବାଣିଜ୍ଯ ଦୂତାବାସ ଖୋଲିବ। “ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ” ଦୁଇଟି ନୂଆ ଦୂତାବାସ ଖୋଲିବାକୁ ଆମେରିକା ଇଚ୍ଛା ପ୍ରକାଶ କରିବାର କିଛି ଦିନ ପରେ ଏହି ବଡ଼ ଘୋଷଣା ହୋଇଛି। ଏଣିକି ଭାରତୀୟ ବଂଶୋଦ୍ଭବଙ୍କୁ ଏଚ୍-ଓ୍ୱାନ ବି ଭିସା ପାଇଁ ଆମେରିକା ଛାଡିବାକୁ ପଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏଚ୍-ଓ୍ୱାନ ବି ଭିସା ନବୀକରଣ ଆମେରିକାରେ ହିଁ କରାଯାଇପାରିବ। ନୂଆ ଭିସା ନିୟମ ଲାଗୁ ହେବା ପରେ ଭାରତୀୟଙ୍କ ପାଇଁ ଆମେରିକାରେ ରହିବା ଓ କାମ କରିବା ସହଜ ହୋଇଯିବ।

ପ୍ରଥମେ ଏହା ଏକ ପାଇଲଟ୍ କାର୍ଯ୍ୟକ୍ରମ ହେବ ଯାହାକୁ ଆଗାମୀ ବର୍ଷମାନଙ୍କରେ ଅଧିକ ସଂଖ୍ୟକ ଭାରତୀୟଙ୍କ ପାଇଁ ସମ୍ପ୍ରସାରଣ କରାଯାଇପାରିବ। ଭାରତୀୟ ନାଗରିକମାନେ ଆମେରିକାର ଏଚ୍-ଓ୍ୱାନ ବି ଭିସାକୁ ସର୍ବାଧିକ ବ୍ୟବହାର କରନ୍ତି। ଏବଂ ୨୦୨୨ ଆର୍ଥିକ ବର୍ଷରେ ପ୍ରାୟ ୪ଲକ୍ଷ ୪୨ ହଜାର ଏଚ୍-ଓ୍ୱାନ ବି କର୍ମଚାରୀଙ୍କ ମଧ୍ୟରୁ ୭୩ ପ୍ରତିଶତ ଥିଲେ।

ନୂଆଦିଲ୍ଲୀରେ ଥିବା ଆମେରିକା ଦୂତାବାସ ବିଶ୍ୱର ସବୁଠାରୁ ବଡ଼ କୂଟନୈତିକ ମିଶନ ମଧ୍ୟରୁ ଅନ୍ୟତମ। ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ହାଇଦ୍ରାବାଦରେ ଥିବା ଚାରିଟି ବାଣିଜ୍ୟ ଦୂତାବାସ ପରିଚାଳନା କରୁଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଯାଇଛନ୍ତି। ଗସ୍ତର ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ।

ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ଅଛନ୍ତି। ରାଷ୍ଟ୍ରପତି ଆବଦେଲ ଫତ୍ତାହ ଏଲ-ସିସିଙ୍କ ନିମନ୍ତ୍ରଣ କ୍ରମେ ଇଜିପ୍ଟକୁ ୧୯୯୭ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ।