ଆଉ ବିବାହ ପାଇଁ ଝିଅ ମିଳିବେନି !

ବେକାର ଥିବାରୁ ଆମ ଦେଶର ଯୁବକମାନଙ୍କୁ ବିବାହ ପାଇଁ ଝିଅ ମିଳୁନାହିଁ । ଫଳରେ ବୟସାଧିକ ହୋଇ ବିଭିନ୍ନ ପ୍ରକାର ମାନସିକ ଯନ୍ତ୍ରଣାରେ ଭୋଗୁଛନ୍ତି ଯୁବପିଢ଼ି । ଏଭଳି କହିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଦେଶର ଉତ୍କଟ ବେକାରୀ ସମସ୍ୟା ଏବଂ ବେରୋଜଗାରକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପୁଣେରେ ‘ଜନ ଜାଗରଣ ଯାତ୍ରା’ରେ ସେ କହିଛନ୍ତି ଯେ, ଦେଶରେ ବେକାରୀ ସମସ୍ୟା ବେଲଗାମ ସ୍ଥିତିରେ ପହଞ୍ଚିଛି । ରୋଜଗାର ନପାଇ ଯୁବପିଢ଼ି ହତାଶ ଅବସ୍ଥାରେ ଗତି କରୁଛନ୍ତି ।

ଏହା ମଧ୍ୟ ସାମାଜିକ ସମସ୍ୟା ସୃଷ୍ଟି କରୁଛି । ଚାକିରି ଅଭାବରୁ ବିବାହ ଯୋଗ୍ୟ ଯୁବକଙ୍କୁ କନ୍ୟା ମିଳୁନାହିଁ । ଦିନକୁ ଦିନ ବୃଦ୍ଧି ପାଉଥିବା ବେକାରୀ ସମସ୍ୟା ଦେଶର ଚିନ୍ତା ବଢ଼ାଉଛି । ଏହାର ପରିଣାମ ହେଉଛି ଚାକିରି ଅଭାବରୁ ଭାରତୀୟମାନେ ଆତ୍ମହତ୍ୟା କରୁଛନ୍ତି । ଚାକିରି ଅଭାବରୁ ଲୋକଙ୍କ ଉପରେ ବଢୁଥିବା ଋଣ ଭାର ମଧ୍ୟ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି । ସମସ୍ୟା ଏତେ ଗମ୍ଭୀର ହେଉପଡ଼ିଛି ଯେ ବେକାରୀ ଓ ଋଣ ନେଇଥିବା ଯୁବକଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି ।ଦର ବୃଦ୍ଧି ଏବଂ ବେକାରୀ ଭଳି ପ୍ରକୃତ ପ୍ରସଙ୍ଗରୁ ଦୃଷ୍ଟି ଏଡାଇବା ପାଇଁ ଦେଶରେ ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ମତଭେଦ ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି । ପାୱାର ଆହୁରି ମଧ୍ୟ କହିଛନ୍ତି ଯେ, ଆଜିର ଯୁବକମାନେ ଶିକ୍ଷିତ ।

ତେଣୁ ଚାକିରି ଦାବି କରିବା ସେମାନଙ୍କର ଅଧିକାର ରହିଛି । ଶିଳ୍ପଗୁଡିକ ମହାରାଷ୍ଟ୍ରରୁ ବାହାରକୁ ଯାଉଛନ୍ତି । ଏବେ ରାଜ୍ୟରେ ଥିବା ଶିଳ୍ପଗୁଡିକୁ କୌଣସି ପ୍ରୋତ୍ସାହନ ଦିଆଯାଉ ନାହିଁ ଏବଂ ନୂତନ ବ୍ୟବସାୟ ପ୍ରତିଷ୍ଠା ପାଇଁ କୌଣସି ସୁଯୋଗ ସୃଷ୍ଟି କରାଯାଉ ନାହିଁ । ଫଳରେ ବେକାରୀ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି । ‘ଜନ ଜାଗରଣ ଯାତ୍ରା’ ଯାତ୍ରା ସମୟରେ ସେ ଏକ ଗ୍ରାମ ଛକରେ ୨୫ ରୁ ୩୦ ବର୍ଷ ବୟସର ୧୫ ରୁ ୨୦ ଜଣ ଯୁବକଙ୍କୁ ଭେଟିଥିଲେ । ସେମାନଙ୍କ ମଧ୍ୟରେ ଅଧିକାଂଶ ଯୁବକ ସ୍ନାତକ ଏବଂ ସ୍ନାତକତ୍ତୋର । କିନ୍ତୁ ଚାକିରି ନ ଥିବାରୁ ସେମାନଙ୍କୁ କନ୍ୟା ଦେବାକୁ କେହି ପ୍ରସ୍ତୁତ ନ ଥିବା ସେମାନେ କହିଥିଲେ । ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ଏହି ସମସ୍ୟା ଅଧିକ ଶୁଣାଯାଉଛି ବୋଲି ପାୱାର କହିଛନ୍ତି ।