ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଣ୍ଟର’ର ୱେବ୍‌ସାଇଟ୍ ଉନ୍ମୋଚିତ

ଭୁବନେଶ୍ୱର: ମୁମ୍ବାଇ ସହରର ଜିଓ ୱାର୍ଲଡ୍ ସେଣ୍ଟର ପରିସରରେ ନିର୍ମାଣ କରାଯାଉଥିବା ‘ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଣ୍ଟର’ର ୱେବସାଇଟ୍‌କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି । ୨୦୨୩ ମାର୍ଚ୍ଚ ସୁଦ୍ଧା ଏହି କେନ୍ଦ୍ର ନିର୍ମିତ ହେବାପରେ ଏହା ଦର୍ଶକଙ୍କ ପାଇଁ ଖୋଲାଯିବ । ୱେବସାଇଟ୍ ଉନ୍ମୋଚନ ଅବସରରେ ଏକ ଭିଡିଓ ଜାରି କରି କଳା ପ୍ରତି ମା’ ନୀତା ଅମ୍ବାନିଙ୍କ ସମର୍ପଣ ଭାବକୁ ଇଶା ଅମ୍ବାନି ସଲାମ କରିଛନ୍ତି । ସେ କହିଛନ୍ତି ଯେ ଗତ ୫୦ ବର୍ଷ ଧରି ନୀତା ଅମ୍ବାନି ଦୈନିକ ନୃତ୍ୟ ସାଧନା କରୁଛନ୍ତି । ଜଣେ ମହିଳା ଉଦ୍ୟୋଗୀ, କ୍ରୀଡ଼ାପ୍ରେମୀ, ଲିଡର୍ ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ହେବା ପୂର୍ବରୁ ମା’ ଜଣେ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଥିଲେ ବୋଲି ସେ କହିଛନ୍ତି । ଏକ ଭିଡିଓ ବାର୍ତ୍ତାରେ ନୀତା କହିଛନ୍ତି ଯେ, “ମୁଁ ଆଜି ଯାହାବି କିଛି ହୋଇଛି ନୃତ୍ୟ ପାଇଁ ହୋଇପାରିଛି । ଭାରତରେ ମୂର୍ତ୍ତିକଳା, ନୃତ୍ୟ, ସଙ୍ଗୀତ, ନାଟକ, ଚିତ୍ରକାରୀ ଆଦିର ଏକ ପରମ୍ପରା ରହିଛି । ମୋର ସ୍ୱପ୍ନ ହେଉଛି ଭାରତର ଏହି କଳାର ସୁଗନ୍ଧ ସାରା ଦୁନିଆରେ ପହଞ୍ଚୁ । ମୋ ପିଲାଦିନର ସ୍ୱପ୍ନକୁ ନୀତା ମୁକେଶ ଅମ୍ବାନି କଲଚରାଲ ସେଣ୍ଟର ପୂରଣ କରିଛି । ତିନି ମହଲା ବିଶିଷ୍ଟ ଏହି କଲଚରାଲ ସେଣ୍ଟରରେ ପରଫରମିଂ ଓ ଭିଜୁଆଲ ଆର୍ଟସ୍‌କୁ ପ୍ରଦର୍ଶିତ କରାଯିବ । ଫରଫରମିଂ ଆର୍ଟସ୍ ଲାଗି ଦି ଗ୍ରାଣ୍ଡ୍ ଥିଏଟର, ଦି ଷ୍ଟୁଡିଓ ଥିଏଟର ଏବଂ ଦି କ୍ୟୁବ୍ ଭଳି ଅତି ସୁନ୍ଦର ଥିଏଟର ତିଆରି କରାଯିବ । ସବୁ ଥିଏଟରରେ ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରାଯିବ । ଦି ଗ୍ରାଣ୍ଡ୍ ଥିଏଟରରେ ଏକସଙ୍ଗେ ଦୁଇ ହଜାର ଦର୍ଶକ କାର୍ଯ୍ୟକ୍ରମର ମଜା ନେଇପାରିବେ । ଭାରତୀୟ ଓ ଅନ୍ତର୍ଜାତୀୟ କଳାକାରମାନଙ୍କ ପ୍ରଦର୍ଶନୀ ପାଇଁ ୧୬ ହଜାର ବର୍ଗଫୁଟରେ ବ୍ୟାପ୍ତ ଏକ ଚାରି ମହଲା ଆର୍ଟ ହାଉସ୍‌ର ମଧ୍ୟ ଶୁଭାରମ୍ଭ କରାଯିବ ।