ନବମ କିଟ୍‍-ଟିବିଆଇ ବାୟୋଟେକ୍‍ କନ୍‍କ୍ଲେଭ ଉଦ୍‍ଘାଟିତ

ଭୁବନେଶ୍ୱର,୨୫ ।୮: କିଟ୍‍ ବିଶ୍ୱବିଦ୍ୟାଳୟରେ କିଟ୍‍-ଟେକ୍ନୋଲୋଜି ବିଜିନେସ୍‍ ଇନ୍‍କ୍ୟୁବେଟର (କିଟ-ଟିବିଆଇ)ର ନବମ ବାୟୋଟେକ୍‍ ଶିଳ୍ପ ସମାବେଶ-୨୦୨୩ ଶୁକ୍ରବାର ଉଦ୍‍ଘାଟିତ ହୋଇଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମାବେଶର ବିଷୟବସ୍ତୁ ବାୟୋଟେକ୍ନୋଲୋଜି  ଏବଂ ଏହାର ପରିବର୍ଦ୍ଧିତ କ୍ଷେତ୍ର ରହିଥିବା ବେଳେ ଏଥିରେ ୩୦ରୁ ଉର୍ଦ୍ଧ ଶିଳ୍ପସଂସ୍ଥାର ମୁଖ୍ୟ ଯୋଗଦେଇଛନ୍ତି। ଏହି ଦୁଇଦିନିଆ ସମାବେଶରେ ୫ ପ୍ୟାନେଲ୍‍ ଆଲୋଚନା ଏବଂ ଶିଳ୍ପ ଏବଂ ବାୟୋଟେକ୍‍ ବିଶେଷଜ୍ଞଙ୍କ ମଧ୍ୟରେ ସମ୍ପର୍କ ଓ ବଢ଼ି ଚାଲିଥିବା ବାୟୋଟେକ୍‍ କ୍ଷେତ୍ର ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରାଦ୍ୟୋଗିକୀଜ୍ଞାନ ସମ୍ପନ୍ନ କରାଇବା ଉପରେ ୨୨ଟି ବକ୍ତୃତା କାର୍ଯ୍ୟକ୍ରମ ରହିଛି। ଉଦ୍‍ଘାଟନୀ ଉତ୍ସବରେ ସମାବେଶର ବିଷୟବସ୍ତୁ ଉପରେ ସୂଚନା ପ୍ରଦାନ କରି ପାଥ୍‍କାଇଣ୍ଡ ଡାଇଗ୍ନୋଷ୍ଟିକ୍‍ସର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ବଶିଷ୍ଠ କହିଲେ, ବାୟୋଟେକ୍‍ ଶିଳ୍ପକୁ ଏକ ନୂତନସ୍ତରରେ ପହଞ୍ଚାଇବା ପାଇଁ  ଶିଳ୍ପସଂସ୍ଥା ଓ ବାୟୋଟେକ୍ନୋଲୋଜି ବିଶେଷଜ୍ଞଙ୍କ ମଧ୍ୟରେ ନିରନ୍ତର ସହଯୋଗର ଆବଶ୍ୟକତା ରହିଛି। ସେ କହିଥିଲେ, ବୈଷୟିକ ସୁପର ପାୱାର ଭାବେ ସମଗ୍ର ବିଶ୍ୱରେ ଭାରତ ଖ୍ୟାତି ଅର୍ଜ୍ଜନ କରିବା ସହ ସୂଚନା ପ୍ରଯୁକ୍ତି ପର୍ଯ୍ୟବସିତ କ୍ଷେତ୍ରରେ ଏକ ଦୃଢ଼ ଆଧାର ମଧ୍ୟ ରହିଛି।

ବାୟୋଟେକ୍‍ ଓ ପ୍ରଯୁକ୍ତିବିଦ୍ୟାର ମିଳିତ ସଂଶ୍ଳିଷ୍ଟରେ ସ୍ୱାସ୍ଥ୍ୟସେବା, ଖାଦ୍ୟ ଉତ୍ପାଦନ, ଡିଜିଟାଲ୍‍ ପ୍ରଶାସନ ସର୍ଜନା କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇପାରିବ ବୋଲି ଶ୍ରୀ ବଶିଷ୍ଠ କହିଥିଲେ। ଇଏମପିଇ ଡାଇଗ୍ନୋଷ୍ଟିକ୍‍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗୁ ରାଘବେନ୍ଦ୍ର ଗୌଡ଼ କହିଲେ, ଭାରତରେ ଏବେ ୭୩୦ ବାୟୋଟେକ୍‍ କମ୍ପାନୀ ରହିଥିବା ବେଳେ ୫ଶହରୁ ଊର୍ଦ୍ଧ୍ୱ ସ୍ୱଦେଶୀ ଉତ୍ପାଦ ରହିଛି । କିନ୍ତୁ ବର୍ତ୍ତମାନ ସମୟରେ  ବାୟୋଟେକ୍‍ ଶିଳ୍ପ ଆହୁରି ନୂଆ ନୂଆ ସର୍ଜନା ଆବଶ୍ୟକ କରୁଛି। ଏଭଳି ସମାବେଶରୁ ଛାତ୍ରଛାତ୍ରୀମାନେ ନୂତନ ସର୍ଜନା ନିମନ୍ତେ ଚିନ୍ତାଧାରା ପାଇ ପାରିବା ସହ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇପାରିବେ ବୋଲି ସେ ମତ ପ୍ରକାଶ କରିଥିଲେ। ବାୟୋଟେକ୍‍ ଓ ଡିଜିଟାଲ୍‍ ଟେକ୍ନୋଲୋଜିର ଭବିଷ୍ୟତ ଉଜ୍ଜଳ ବୋଲି କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ଶରଣଜିତ୍‍ ସିଂହ କହିଥିଲେ। ତେଣୁ ସମୟର ଆବଶ୍ୟକତାକୁ ଦେଖି ନିଜର ଦକ୍ଷତା ବୃଦ୍ଧି କରିପାରିଲେ ଭବିଷ୍ୟତରେ ଯେ କୌଣସି ସମ୍ଭାବନାର ସୁଯୋଗ ନେଇପାରିବେ ବୋଲି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରି ୧୭ବର୍ଷର ଯାତ୍ରା ମଧ୍ୟରେ କିଟ୍‍- ଟିବିଆଇ କିପରି ବୈଷୟିକ ଓ ଇନ୍‍କ୍ୟୁବେସନ୍‍ ପାଇଁ ଏକ ଅନନ୍ୟ ସ୍ଥାନ ପାଲଟିଛି ତାହା ଉପରେ ଆଲୋକପାତ କରିଥିଲେ।