ଓଟିଟି ପ୍ଲାଟଫର୍ମରେ ନୀଳମାଧବ ପଣ୍ଡାଙ୍କ ‘ଦ ଜେଙ୍ଗାବୁରୁ କର୍ସ’

ଭୁବନେଶ୍ୱର : ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଯୋଜକ ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଭାରତର ପ୍ରଥମ କ୍ଲାଇମେଟ୍ ଫିକ୍ସନ (କ୍ଲି-ଫି) ଥ୍ରିଲର ସିରିଜ୍ ‘ଦ ଜେଙ୍ଗାବୁରୁ କର୍ସ’ର ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ସିରିଜ୍ ଆସନ୍ତା ଅଗଷ୍ଟ ୯ ତାରିଖ ୨୦୨୩ରୁ କେବଳ ସୋନି ଲିଭ୍ ଆପ୍‌ରେ ଷ୍ଟ୍ରିମ୍ ହେବ ।

ଓଡ଼ିଶାର ଖଣି ଦୁନିଆର ଅନେକ ଗୁମର ରହିଛି ‘ଦ ଜେଙ୍ଗାବୁରୁ କର୍ସ’ରେ। ଓଡ଼ିଶାର ଏକ ଛୋଟିଆ ସହର ଉପରେ ପର୍ଯ୍ୟବେସିତ ଏହି ସିରିଜ ଲଣ୍ଡନରେ ରହୁଥିବା ଜଣେ ଆର୍ଥିକ ବିଶ୍ଳେଷକ ପ୍ରିୟା ଦାସଙ୍କ କାହାଣୀ ଉପରେ ଆଧାରିତ। ପ୍ରିୟାଙ୍କ ପିତା ପ୍ରଫେସର ଦାସ ହଠାତ୍ ନିଖୋଜ ହେବା ପରେ ପ୍ରିୟା ଓଡ଼ିଶା ଫେରିବାକୁ ବାଧ୍ୟ ହୁଅନ୍ତି। ନିଜ ବାପାଙ୍କୁ ଖୋଜିବା ସମୟରେ ପ୍ରିୟା ଏକାଧିକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ପାଆନ୍ତି, ଯାହା ସ୍ଥାନୀୟ ବଣ୍ଡା ଆଦିବାସୀ ଓ ଖଣି ରାଜ୍ୟ ଓଡ଼ିଶା ମଧ୍ୟରେ ରହିଥିବା ଏକ ଅସାଧାରଣ ସଂଯୋଗକୁ ଉନ୍ମୋଚନ କରିଥାଏ।

“ଦ ଜେଙ୍ଗାବୁରୁ କର୍ସ ହେଉଛି ପ୍ରଥମ ଭାରତୀୟ କ୍ଲାଇମେଟ୍ ଫିକ୍ସନ ଥ୍ରୀଲର ସିରିଜ୍। ଏହି ସିରିଜ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବା ସହ ପରିବେଶ ସୁରକ୍ଷା ଉପରେ ସଚେତନ କରିବାକୁ ଲକ୍ଷ୍ୟ ରହିଛି’, କହିଛନ୍ତି ନୀଳମାଧବ ପଣ୍ଡା। ଷ୍ଟୁଡିଓ ନେକ୍ସଟ୍ ଦ୍ୱାରା ପ୍ରାୟୋଜିତ ଦ ଜେଙ୍ଗାବୁରୁ କର୍ସକୁ ନୀଳମାଧବ ପଣ୍ଡା ନିର୍ଦ୍ଦେଶନା ଦେଇଥିବା ବେଳେ ମୟଙ୍କ ତିୱାରୀ ଏହାର ଲେଖକ ଅଟନ୍ତି ଏବଂ ପାଉଲୋ ପେରେଜ ଡିଓପି ଭାବେ କାର୍ଯ୍ୟ କରିଛନ୍ତି । ଅଳକାନନ୍ଦା ଦାସଗୁପ୍ତା ଓ ଦୂର୍ଗା ପ୍ରସାଦ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଏହି ସିରିଜ୍ର ପ୍ରଡକ୍ସନ ଡିଜାଇନର ଅଟନ୍ତି । ଏହି ସିରିଜ୍‌ରେ ଫରିଆ ଅବ୍‌ଦୁଲ୍ଲା, ନସିର ମକରନ୍ଦ ଦେଶପାଣ୍ଡେ, ସୁଦେବ ନାୟର, ଦୀପକ ସମ୍ପତ୍ ଓ ହିତେଶ ଦାବେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

ଏହି ସିରିଜର ଟ୍ରେଲର ରିଲିଜ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ୟୁଟ୍ୟୁବରେ ଏହାକୁ ପ୍ରାୟ ୯୦ ଲକ୍ଷ ଦର୍ଶକ ଦେଖିସାରିଛନ୍ତି । ଟ୍ରେଲର ରିଲିଜ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଫେସବୁକ, ଇଂଷ୍ଟାଗ୍ରାମ ଏବଂ ଟ୍ଵିଟରକୁ ମିଶାଇ ଏହାର ଦର୍ଶକ ସଂଖ୍ୟା ୧.୨୫ କୋଟିରେ ପହଞ୍ଚି ସାରିଛି । ଏହି ସିରିଜ ଆସନ୍ତା ଅଗଷ୍ଟ ୯ ତାରିଖରେ ମୁକ୍ତିଲାଭ କରିବା ପୂର୍ବରୁ ଏହାକୁ ନେଇ ଯେଉଁ ଉତ୍କଣ୍ଠା ସୃଷ୍ଟି ହୋଇଛି, ତାହା ଓଟିଟି ଇତିହାସରେ ଏକ ବିରଳ ସଫଳତା ବୋଲି କୁହାଯାଇପାରେ । ଓଡ଼ିଶାରେ ବେଆଇନ ଖଣି ଖନନକୁ ଆଧାର କରି ଏହି ଓ୍ବେବ୍ ସିରିଜ୍ ର ପରିକଳ୍ପନା କରାଯାଇଛି। ଚୋରା ଖଣି କାରବାର, ଖଣି ମାଫିଆଙ୍କ ବିରୋଧରେ ଆଦିବାସୀ ଜୀବନର ସଙ୍ଘର୍ଷ ଏବଂ ସାମାଜିକ ନ୍ୟାୟର ଲଢେ଼ଇ ଏହାର ମୁଖ୍ୟ କଥାବସ୍ତୁ। ଓଡ଼ିଶାର କେନ୍ଦୁଝର, କୋଣାର୍କ, ଭୁବନେଶ୍ୱର ସମେତ ଇଂଲଣ୍ଡ ଓ ମିଆମାର୍ ରେ ଏହି ସିରିଜ୍ ର ସୁଟିଂ କରାଯାଇଛି।