ଜମ୍ମୁକାଶ୍ମୀରରେ ଏନଆଇଏର ବଡ ଅପରେସନ୍, ଦୁଇ ଦିନରେ ୫୦ଟି ସ୍ଥାନରେ ଚଢାଉ

ଟେରର ଫଣ୍ଡିଂ ରୋକିବାକୁ ବଡ ଅପରେସନ୍ । ଜମ୍ମୁ କଶ୍ମୀରରେ ଏନଆଇଏ ଛାପା । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ସଙ୍ଗଠନ ଓ ବ୍ୟକ୍ତିଙ୍କୁ ଧରିବା ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ପକ୍ଷରୁ କରାଯାଇଛି ବଡ ଧରଣର ଚଢାଉ । ଜମ୍ମୁ କାଶ୍ମୀରେ ଧାରା ୩୭୦ ଉଚ୍ଛେଦ ପରେ ଚାଲିଛି ସେନାର ଜୋରଦାର ଅପରେସନ୍ । ଘାଟିରେ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ପ୍ରତ୍ୟେକ ଦିନ କରାଯାଉଛି ସେନାର ସର୍ଚ୍ଚ ଅପରେସନ୍ । ଜମ୍ମୁ କାଶ୍ମୀର ପୋଲିସ ଓ ସିଆରପିଏଫର ସହଯୋଗରେ ଏନଆଇଏ ଡୋଡା, କିସ୍ତୱାର, ରମ୍ବାନ, ଅନନ୍ତନାଗ, ବଡଗ୍ରାମ, ରଜୋରୀ, ସୋଫିଆନ ଆଦି ସ୍ଥାନରେ ଚଢାଉ କରିଛି ।
ଏହି ପରିପ୍ରେକ୍ଷୀରେ ଜମ୍ମୁ କାଶ୍ମୀରର ୫୦ରୁ ଅଧିକ ସ୍ଥାନରେ ଏନଆଇଏ କରିଛି ଚଢାଉ । ଘାଟିରୁ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ଜାତୀୟ ସୁରକ୍ଷା ତଦନ୍ତକାରୀ ଏଜେନ୍ସି (ଏନଆଇଏ )୧୪ଟି ଜିଲ୍ଲାର ଥିବା ୫୦ଟି ଠିକଣା ଉପରେ କରିଛି ରେଡ୍ । ଏଥିରେ ନିଷିଦ୍ଧ ଘୋଷିତ ଜମାତ-ଏ-ଇସଲାମୀ ସଙ୍ଗଠନର କେତେକ ବରିଷ୍ଠ ସଦସ୍ୟଙ୍କ ଘର ସାମିଲ ରହିଛି । ଜମ୍ମୁ କାଶ୍ମୀରରେ ନିଜକୁ ପୃଥକବାଦୀ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏନଆଇଏ ଗତ କିଛିଦିନ ହେଲା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
ଯୁବକମାନେ ଯେପରି ଆତଙ୍କବାଦୀ ସଙ୍ଗଠନ ଗୁଡିକର ମୋହରେ ନପଡିବେ ସେଥିପାଇଁ ଏନଆଇଏକୁ ଦିଆଯାଇଛି ବଡ ଦାୟିତ୍ୱ । ସେହିପରି ଗତ ଜୁଲାଇ ୧୦ ତାରିଖରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୬ ଜଣଙ୍କୁ ଗିରଫ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଜମ୍ମୁ କାଶ୍ମୀର ବିଭିନ୍ନ ସ୍ଥାନରେ ଛାପା କରି ଏମାନଙ୍କୁ ଗିରଫ କରାଯାଇଥିଲା । ସେପଟେ କାଶ୍ମୀରରେ ଆତଙ୍କବାଦୀଙ୍କ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖୁଛି ସେନା । ପ୍ରତ୍ୟେକ ଦିନ କରାଯାଉଛି ଜୋରଦାର ସର୍ଚ୍ଚ ଅପରେସନ୍ ।

Comments (0)
Add Comment