ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ନୂଆ ସ୍ମାର୍ଟ କାର୍ଡ

ଅଗଷ୍ଟ ୧୫ରୁ ଆରମ୍ଭ ହେବ ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ନୂଆ ସ୍ମାର୍ଟ କାର୍ଡ । ପ୍ରଥମ ପର୍ଯ୍ୟାୟରେ ୫ ଜିଲ୍ଲାର ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବାଣ୍ଟି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ I ଏଥିରେ ଉପକୃତ ହେବେ ରାଜ୍ୟର ୯୨ ଲକ୍ଷ ୫୦ ହଜାର ପରିବାର । ପୂର୍ବରୁ ୭୧ ଲକ୍ଷ ୬୯ ହଜାର ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଥିଲା । ଏଣିକି ନାସନାଲ ଫୁଡ ସିକ୍ୟୁରିଟି ଆକ୍ଟ ଓ ଷ୍ଟେଟ ଫୁଡ ସିକ୍ୟୁରିଟି ଆକଟ ଅନ୍ତର୍ଗତ ସମସ୍ତ ପରିବାରକୁ ମିଳିବ ମାଗଣା ସ୍ୱାସ୍ଥ୍ୟ ସେବା । ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ୧୫ ତାରିଖରେ ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗୀର ଓ ମୟୂରଭଂଜ ଜିଲ୍ଲା ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବିତରଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ନଭେମ୍ବର ମାସ ସୁଦ୍ଧା ସମସ୍ତ ଜିଲ୍ଲାରେ ଏହା ଲାଗୁ କରାଯିବ । ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ଗାଇଡଲାଇନ ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ କରାଯିବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ସଂପ୍ରସାରଣ କରାଯିବା ସହ ଅଧିକ ଘରୋଇ ହସପିଟାଲକୁ ଯୋଡି ଦିଆଯାଇଛି । କ୍ୟାସଲେସ୍ ସ୍ୱାସ୍ଥ୍ୟ ସେବା ପାଇଁ ସରକାରୀ ହସପିଟାଲରେ କୌଣସି କାଗଜପତ୍ର ଆବଶ୍ୟକ ପଡିବ ନାହିଁ । ତାଲିକାଭୁକ୍ତ ହୋଇଥିବା ଘରୋଇ ହସପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ କିମ୍ବା ନାସନାଲ ଫୁଡ ସିକ୍ୟୁରିଟି ଆକ୍ଟ କାର୍ଡ କିମ୍ବା ଷ୍ଟେଟ ଫୁଡ ସିକ୍ୟୁରିଟି ଆକ୍ଟ କାର୍ଡ ଦେବାକୁ ପଡିବ । ୨୦୧୮ ଅଗଷ୍ଟ ୧୫ ତାରିଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଥିଲା ।

Comments (0)
Add Comment