ଭୁବନେଶ୍ବର: ନେପାଳରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଅନେକ ଭାରତୀୟ ନିଖୋଜ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କିଛି ଓଡ଼ିଆ ଥିବା ନେଇ ଆଶଙ୍କା ବଢ଼ିଛି। ଏଭଳି ସ୍ଥିତିରେ ନେପାଳରେ ଫସିଥିବା କିମ୍ବା ନିଖୋଜ ଓଡ଼ିଆଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ଖୋଲାଯାଇଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ତଥା ହେଲ୍ପ ଡେସ୍କ। ନେପାଳ ବନ୍ୟାରେ ଫସିଥିବା ଓଡ଼ିଆଙ୍କ ସମ୍ପର୍କରେ ସୂଚନା ଦେବା ସହ ସେମାନଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇବା ଏହି ହେଲ୍ପ ଡେସ୍କର ମୁଖ୍ୟ ଉଦ୍ଦେଶ୍ୟ। ନୂଆଦିଲ୍ଲୀସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ କମିଶନରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ନେପାଳରେ ବନ୍ୟା ଯୋଗୁଁ ଅସୁବିଧାରେ ପଡ଼ିଥିବା ଓଡ଼ିଆଙ୍କ ପରିବାର ଏହି କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିପାରିବେ। ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ମଧ୍ୟ ଏଠାରେ ଦିଆଯାଇପାରିବ। ପ୍ରଭାବିତ ଓଡ଼ିଆଙ୍କ ପରିବାର ପାଇଁ ସରକାରଙ୍କ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ୦୧୧-୨୩୦୧୨୮୦୭ ଜାରି କରାଯାଇଛି। ଏହି ନମ୍ବରରେ ଯୋଗାଯୋଗ କରି ନେପାଳରେ ଥିବା ନିଜ ପରିଜନଙ୍କ ସମ୍ପର୍କରେ ସୂଚନା ଦିଆଯାଇପାରିବ।ବନ୍ୟା ପରିସ୍ଥିତିକୁ ନେଇ ଚିନ୍ତାରେ ଥିବା ପରିବାରଗୁଡ଼ିକ ପାଇଁ ଏହି ୨୪ ଘଣ୍ଟିଆ ହେଲ୍ପ ଡେସ୍କ ତୁରନ୍ତ ସହାୟତାର ଏକ ମାଧ୍ୟମ ହେବ। ସରକାରୀ ସ୍ତରରେ ଆବଶ୍ୟକ ସମନ୍ୱୟ କରି ପ୍ରଭାବିତ ଓଡ଼ିଆଙ୍କୁ ସହାୟତା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି।