ନେପାଳ ପ୍ରଳୟ: ୧୧ ଦିନ ପରେ ସୁଡ଼ଙ୍ଗ ଓ କାଦୁଅ ତଳୁ ଜୀବନ ଜିତିଲେ ଚୀନ୍ ନାଗରିକ ଓ ବୃଦ୍ଧା

ନୂଆଦିଲ୍ଲୀ: ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନରେ ବିପର୍ଯ୍ୟସ୍ତ ନେପାଳରୁ ଆସିଛି ଏକ ଚମତ୍କାର ଖବର। ମୃତ୍ୟୁ ସହ ଦୀର୍ଘ ୧୧ ଦିନ ଧରି ସଂଗ୍ରାମ କରିବା ପରେ ସୁଡ଼ଙ୍ଗ ଏବଂ କାଦୁଅ ତଳୁ ଜୀବନ୍ତ ଉଦ୍ଧାର ହୋଇଛନ୍ତି ଜଣେ ଚୀନ୍ ନାଗରିକ ଓ ଜଣେ ୬୦ ବର୍ଷୀୟା ନେପାଳୀ ମହିଳା। ନେପାଳ ସେନା ଓ ବିଦେଶୀ ବିଶେଷଜ୍ଞଙ୍କ ମିଳିତ ଟିମ୍ ରସୁୱା ଜିଲ୍ଲାସ୍ଥିତ ‘ଅପର୍ ତ୍ରିଶୂଳୀ-୧’ ଜଳବିଦ୍ୟୁତ ପ୍ରକଳ୍ପର ୨୨୫ ମିଟର ଲମ୍ବ ୪ ନମ୍ବର ସୁଡ଼ଙ୍ଗ ଭିତରୁ ଚୀନ୍ ନାଗରିକ ଲୁହାଇତାଓଙ୍କୁ ସୁରକ୍ଷିତ ବାହାର କରିଛନ୍ତି। ଗତ ଅଗଷ୍ଟ ୨୬ରେ ଭୁତେ କୋଶୀ ନଦୀର ବନ୍ୟାଜଳ ସହ କାଦୁଅ ଓ ପଥର ମାଡ଼ି ଆସିବାରୁ ସେ ସୁଡ଼ଙ୍ଗ ଭିତରେ ଫସି ରହିଥିଲେ। ୧୧ ଦିନ ଧରି ଅନ୍ଧକାର ଭିତରେ ରହି ଚାଲିବା ଶକ୍ତି ହରାଇଥିବାରୁ ଉଦ୍ଧାରକାରୀମାନେ ତାଙ୍କୁ କାନ୍ଧରେ ବୋହି ବାହାରକୁ ଆଣିବା ସହ ହେଲିକପ୍ଟର ଯୋଗେ କାଠମାଣ୍ଡୁ ମିଲିଟାରୀ ହସ୍ପିଟାଲକୁ ପଠାଇଛନ୍ତି। ଅନ୍ୟପଟେ, କାଦୁଅ ଓ ଆବର୍ଜନା ତଳେ ୧୧ ଦିନ ପୋତି ହୋଇ ରହିଥିବା ଜଣେ ୬୦ ବର୍ଷୀୟା ବୃଦ୍ଧାଙ୍କୁ ମଧ୍ୟ ଅଲୌକିକ ଭାବେ ଜୀବନ୍ତ ଉଦ୍ଧାର କରାଯାଇଛି। ସୁଡ଼ଙ୍ଗ ଭିତରେ ଆଉ କେହି ଫସିଛନ୍ତି କି ନାହିଁ ତାହା ଜାଣିବା ପାଇଁ ଭାରତୀୟ ଓ ନେପାଳୀ ଉଦ୍ଧାରକାରୀ ଦଳ ଚିଲିମେ ଓ ତ୍ରିଶୂଳୀ ପ୍ରକଳ୍ପ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି।