ନୂଆଦିଲ୍ଲୀ: ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା NEET UG-2026 ପରୀକ୍ଷାକୁ ବାତିଲ କରାଯାଇଛି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆସିବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ଭାରତ ସରକାରଙ୍କ ଅନୁମୋଦନ କ୍ରମେ ପରୀକ୍ଷା ବାତିଲ ହୋଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ପୁଣିଥରେ ପରୀକ୍ଷା ଦେବାକୁ ପଡ଼ିବ। ପରୀକ୍ଷାର ନୂତନ ତାରିଖ ସମ୍ପର୍କରେ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଗତ ମେ’ ୩ ତାରିଖରେ ସାରା ଦେଶରେ NEET UG ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ମାମଲାରେ ହୋଇଥିବା ଅନିୟମିତତାର ସଠିକ ତଦନ୍ତ ପାଇଁ ଭାରତ ସରକାର ଏହି ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ହସ୍ତାନ୍ତର କରିଛନ୍ତି। ବିଶେଷ କରି ରାଜସ୍ଥାନରେ NTA ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ରାଜସ୍ଥାନ ସ୍ପେଶାଲ ଅପରେସନ ଗ୍ରୁପ (SOG) ପୂର୍ବରୁ ଏହି ଘଟଣାର ଯାଞ୍ଚ ଆରମ୍ଭ କରିସାରିଛି। ପୂର୍ବରୁ ପ୍ରାକ୍ଟିସ୍ ପେପରରେ ଥିବା କିଛି ପ୍ରଶ୍ନ କେମେଷ୍ଟ୍ରି (ରସାୟନ ବିଜ୍ଞାନ) ପରୀକ୍ଷାରେ ହୁବହୁ ଆସିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ଗୁରୁତର ସହ ନେଇ SOG ଏବଂ CBI ପକ୍ଷରୁ ଗଭୀର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।