ନୂଆଦିଲ୍ଲୀ: NEET-UG ପେପର୍ ଲିକ୍ ମାମଲାରେ CBI ପୁଣେରୁ ମୁଖ୍ୟ ଅଭିଯୁକ୍ତ ପ୍ରଫେସର ପିଭି କୁଲକର୍ଣ୍ଣି ଙ୍କୁ ଗିରଫ କରିଛି । CBI ଅଧିକାରୀମାନେ କହିଛନ୍ତି ଯେ, ଲାଟୁରର ବାସିନ୍ଦା ଏବଂ ରସାୟନ ବିଜ୍ଞାନର ବିଶେଷଜ୍ଞ କୁଲକର୍ଣ୍ଣି, ବହୁ ବର୍ଷ ଧରି NEET ପରୀକ୍ଷା ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା କମିଟିର ସଦସ୍ୟ ଥିଲେ । ପ୍ରଫେସର କୁଲକର୍ଣ୍ଣିଙ୍କୁ ପୁଣେସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା । ସିବିଆଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରଫେସର କୁଲକର୍ଣ୍ଣି ତାଙ୍କ ଘରେ ସ୍ୱତନ୍ତ୍ର କୋଚିଂ କ୍ଲାସ ଚଲାଉଥିଲେ । ପ୍ରଫେସର କୁଲକର୍ଣ୍ଣି ଏହି ସ୍ୱତନ୍ତ୍ର କ୍ଲାସ୍ ସମୟରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନ, ସେମାନଙ୍କର ବିକଳ୍ପ ଏବଂ ସଠିକ୍ ଉତ୍ତର ନିର୍ଦ୍ଦେଶିତ କରିଥିବା ଅଭିଯୋଗ ହୋଇଛି । ଏପରିକି ଛାତ୍ରଛାତ୍ରୀମାନେ ସେହି ସବୁ ପ୍ରଶ୍ନଗୁଡ଼ିକୁ ସେମାନଙ୍କ ନୋଟବୁକରେ ନିଜ ହାତରେ ଲେଖିଥିଲେ, ଯାହା 3 ମେ ରେ ଅନୁଷ୍ଠିତ NEET-UG 2026 ପରୀକ୍ଷାର ପ୍ରକୃତ ପ୍ରଶ୍ନ ସହିତ ଠିକ୍ ମେଳ ଖାଉଥିଲା । ଏହି ମାମଲାକୁ ନେଇ CBI ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଅନେକ ଅପରାଧିକ ଡକ୍ୟୁମେଣ୍ଟ ସହିତ, ଇଲେକ୍ଟ୍ରୋନିକ୍ ଡିଭାଇସ୍ ଏବଂ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି । ଜବତ ସାମଗ୍ରୀର ଫୋରେନସିକ୍ ଏବଂ ବୈଷୟିକ ଯାଞ୍ଚ୍ ଚାଲିଛି । ଏହାକୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ୍ 8 ଜଣଙ୍କୁ ଗିରଫ୍ କରାଯାଇ ସାରିଲାଣି ।