ଭୁବନେଶ୍ବର: ଭଦ୍ରକ ସହରରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ୧୯ ବର୍ଷୀୟ ନିଟ୍ (NEET) ପରୀକ୍ଷାର୍ଥୀ ନିଜ ଭଡ଼ାଘରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ତିହିଡ଼ି ବ୍ଲକ୍ ନୁନ୍ଦର ଗ୍ରାମର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ ଭଦ୍ରକ ଟ୍ରେଜେରୀ ପଛପଟେ ଏକ ଘରେ ଭଡ଼ାରେ ରହି ପାଠ ପଢ଼ୁଥିଲେ। ଗତ ମଇ ୩ ତାରିଖରେ ସେ ନିଟ୍ ପରୀକ୍ଷା ଦେଇଥିଲେ। ପରୀକ୍ଷା ପରେ ସେ ମାନସିକ ଚାପରେ ଥିବା ସନ୍ଦେହ କରାଯାଉଛି। ପରୀକ୍ଷା ଭଲ ହୋଇନଥିବାରୁ ଏବଂ କୃତକାର୍ଯ୍ୟ ହେବା ନେଇ ଆଶଙ୍କା ଥିବାରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ପରିବାର ଲୋକେ କହିଛନ୍ତି। ଭଡ଼ାଘର ମଧ୍ୟରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।