୯ମ ଶ୍ରେଣୀ ପାଠ୍ୟକ୍ରମ ସଂଶୋଧନ କଲା NCERT: ବଜାରକୁ ଆସିଲା ନୂଆ ଗଣିତ ବହି

ନୂଆଦିଲ୍ଲୀ: ନୂତନ ଶିକ୍ଷାବର୍ଷରେ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଶିକ୍ଷାଦାନ ପଦ୍ଧତିକୁ ଅଧିକ ସରଳ ଓ ଆଧୁନିକ କରିବା ପାଇଁ ବଡ଼ ପଦକ୍ଷେପ ନେଇଛି NCERT (ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ)। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସଂଶୋଧିତ ୯ମ ଶ୍ରେଣୀ ପାଠ୍ୟପୁସ୍ତକ ପ୍ରକାଶନ ପ୍ରକ୍ରିୟା ଆରମ୍ଭ ହୋଇଛି।  ଏହି କ୍ରମରେ NCERT ପକ୍ଷରୁ ନୂତନ ଗଣିତ ପାଠ୍ୟପୁସ୍ତକ ପ୍ରକାଶ କରାଯାଇଥିବା ବେଳେ ଏହା ଏବେ ବଜାରରେ ଉପଲବ୍ଧ ହେଉଛି। ଏହାସହ ନୂତନ ସାମାଜିକ ବିଜ୍ଞାନ (Social Science) ପୁସ୍ତକ ମଧ୍ୟ ଖୁବ୍ ଶୀଘ୍ର ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବ। ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଏବଂ ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (NCF-SE) ୨୦୨୩ ଆଧାରରେ ଏହି ସଂଶୋଧିତ ବହିଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଶିକ୍ଷାଦାନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ NCERTର ପର୍ଯ୍ୟାୟକ୍ରମିକ ପୁସ୍ତକ ପ୍ରକାଶନ ଯୋଜନା ଅଧୀନରେ ଏହି ନୂତନ ସଂସ୍କରଣଗୁଡ଼ିକ ଅଣାଯାଉଛି।