ଆମାଜନରେ ମିଳିବ ଏନସିଇଆରଟି ପୁସ୍ତକ – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏନସିଇଆରଟି ଏବଂ ଆମାଜନ ମଧ୍ୟରେ ଭାଗିଦାରୀ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୦୭ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୋମବାର ଭାରତ ସରକାରଙ୍କ ଅଧୀନରେ ଥିବା ଏନସିଇଆରଟି ଏବଂ ଅନ୍ୟତମ ସର୍ବବୃହତ ଇ-କମର୍ସ ପ୍ଲାଟଫର୍ମ ଆମାଜନ ସେଲର୍ସ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଲେଟର୍ ଅଫ୍ ଏନଗେଜମେଣ୍ଟ(ଏଲଓଇ) ସ୍ୱାକ୍ଷରିତ ହୋଇଯାଇଛି । ଏହା ହେଉଛି ପ୍ରଥମ ଚୁକ୍ତି, ଯାହା ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମରେ ମୁଦ୍ରିତ ମୂଲ୍ୟରେ ମୂଳ ଏନସିଇଆରଟି ପାଠ୍ୟପୁସ୍ତକର ଉପଲବ୍ଧତା ସୁନିଶ୍ଚିତ କରିବ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜିର ପଦକ୍ଷେପ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ଜାତୀୟ ଶିକ୍ଷା ନୀତିର ଭିଜନକୁ ସୁଦୃଢ଼ କରିବ । ସମଗ୍ର ଦେଶରେ ଡିଜିଟାଲ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଦେଖାଯାଇଥିବା ବେଳେ ଏହି ପଦକ୍ଷେପ ସରକାରଙ୍କ ‘ଇଜ୍ ଅଫ୍ ଲିଭିଂ’ ଲକ୍ଷ୍ୟକୁ ମଧ୍ୟ ସମର୍ଥନ କରିବ । ଏନସିଇଆରଟି ୧୯୬୩ ମସିହାରୁ ପ୍ରାୟ ୨୨୦ କୋଟି ପୁସ୍ତକ ଓ ଜର୍ଣ୍ଣାଲ ସହିତ ପାଠ୍ୟପୁସ୍ତକ ପ୍ରକାଶ କରି ଭାରତର ଶିକ୍ଷା ଦୃଶ୍ୟପଟ୍ଟକୁ ନୂଆ ଆକାର ଦେଇଛି । ଏନସିଇଆରଟି ଦେଶ ପାଇଁ ଏକ ପ୍ରମୁଖ ଥିଙ୍କଟ୍ୟାଙ୍କ୍ ବୋଲି ଗୁରୁତ୍ୱାରୋପ କରିବା ସହ ଦେଶବ୍ୟାପୀ ପ୍ରାୟ ୨୦ ହଜାର ପିନ୍ କୋଡ ଠିକଣାରେ ଏହି ପୁସ୍ତକ ଉପଲବ୍ଧ ହେବ ବୋଲି ଶ୍ରୀ ପ୍ରଧାନ ଘୋଷଣା କରିଛନ୍ତି । ଏହି ପୁସ୍ତକଗୁଡ଼ିକ ଏମଆରପିରେ ଉପଲବ୍ଧ ହେବା ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଆମାଜନ ସହ ଏନସିଇଆରଟିର ଭାଗିଦାରୀକୁ ପ୍ରଶଂସା କରିଛନ୍ତି ଶ୍ରୀ ପ୍ରଧାନ । ଏହା ଇଜ୍ ଅଫ୍ ଲିଭିଂ ଏବଂ ଶିକ୍ଷାର ଉପଲବ୍ଧତା ବୃଦ୍ଧି ଦିଗରେ ଏକ ସୁନ୍ଦର ପଦକ୍ଷେପ ବୋଲି କହିବା ସହ ଏନସିଇଆରଟି ଚଳିତ ବର୍ଷ ତିନିଗୁଣା ଅଧିକ ପୁସ୍ତକ ପ୍ରକାଶନ ତଥା ୧୫ କୋଟି ପୁସ୍ତକ ପ୍ରକାଶ କରିବ ବୋଲି ସେ କହିଛନ୍ତି । ସେହିପରି ଅମୃତ କାଳର ୩୦୦ ନିୟୁତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷଣକୁ ଆନନ୍ଦଦାୟକ କରିବା ଉପରେ ପରାମର୍ଶ ଦେଇଛନ୍ତି ଶିକ୍ଷା ମନ୍ତ୍ରୀ । ଇଣ୍ଟରଆକ୍ଟିଭ୍ ଏବଂ ଏଆଇ ଦ୍ୱାରା ପରିଚାଳିତ ଇ-ପୁସ୍ତକର ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରି ସମସ୍ତ ୨୩ଟି ଭାଷାରେ ପୁସ୍ତକର ମହତ୍ତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ ପୁସ୍ତକ ହିଁ ଭାରତର ପ୍ରକୃତ ସଫ୍ଟ ପାୱାର ହେବ ।

ସମସ୍ତ ଶ୍ରେଣୀର ଏନସିଇଆରଟି ପାଠ୍ୟପୁସ୍ତକ ଆମାଜନ (http://amazon.in/ncert) ରେ ଉପଲବ୍ଧ ହେବ । ଆମାଜନର ଡେଲିଭରି ନେଟୱାର୍କ ଜରିଆରେ ଅତି ଦୁର୍ଗମ ଅଂଚଳରେ ମଧ୍ୟ ଛାତ୍ରଛାତ୍ରୀ ଓ ସ୍କୁଲ ନିର୍ଦ୍ଧାରିତ ମୂଲ୍ୟରେ ପାଠ୍ୟପୁସ୍ତକ କିଣିପାରିବେ । ଉଲ୍ଲେଖନୀୟ, ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ, ଏନସିଇଆରଟିର ନିର୍ଦ୍ଦେଶକ, ଆମାଜନର ଉପସଭାପତି ଏବଂ ଆମାଜନର ପବ୍ଲିକ ପଲିସି ନିର୍ଦ୍ଦେଶକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଅଧିକାରୀ ଉପସ୍ଥିତ ଥିଲେ ।