ନୌସେନାରେ ‘ଆଇଏନ୍‌ଏସ୍ ବିକ୍ରାନ୍ତ’ ସାମିଲ

କୋଚି: ଆତ୍ମନିର୍ଭର ଯୋଜନା ଅନୁଯାୟୀ ସମ୍ପୂର୍ଣ୍ଣ ସ୍ୱଦେଶୀ କାରିଗରୀକୌଶଳରେ ନିର୍ମିତ ଦେଶର ପ୍ରଥମ ବିମାନବାହୀ ଜାହାଜ (ଏୟାରକ୍ରାଫ୍ଟ କ୍ୟାରିୟର) ‘ଆଇଏନ୍‌ଏସ୍ ବିକ୍ରାନ୍ତ’କୁ ବିଧିବଦ୍ଧଭାବେ ନୌସେନାରେ ସାମିଲ କରାଯାଇଛି । ଶୁକ୍ରବାର କେରଳର କୋଚିସ୍ଥିତ କୋଚିନ ସିପୟାର୍ଡ ଲିମିଟେଡ୍ ପରିସରରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଜାହାଜକୁ ଆନୁଷ୍ଠାନିକଭାବେ ନୌସେନାରେ ସାମିଲ କରିଛନ୍ତି । ଏଥିସହିତ ମୋଦୀ ନୂତନ ନାଭାଲ ଏନ୍‌ସାଇନ୍ (ପ୍ରତୀକ)କୁ ମଧ୍ୟ ଉନ୍ମୋଚନ କରିଛନ୍ତି । ସୂଚନାଯୋଗ୍ୟ ବ୍ରିଟେନରୁ କିଣାଯାଇଥିବା ‘ହକ୍ୟୁଲସ୍‌’ ନାମକ ବିମାନବାହୀ ଜାହାଜର ନାମକୁ ‘ଆଇଏନ୍‌ଏସ୍ ବିକ୍ରାନ୍ତ’ ରଖାଯାଇଥିବାବେଳେ ଏହା ୧୯୬୧ରୁ ୧୯୯୭ ପର୍ଯ୍ୟନ୍ତ ଭାରତୀୟ ନୌବାହିନୀରେ କାର୍ଯ୍ୟରତ ଥିଲା । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଏହି ବିମାନବାହୀ ଜାହାଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ତାହାର ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ନୂଆ ବିମାନବାହୀ ଜାହାଜର ନାମ ମଧ୍ୟ ‘ଆଇଏନ୍‌ଏସ୍ ବିକ୍ରାନ୍ତ’ ରଖାଯାଇଛି ।
ଭାରତୀୟ ନୌବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦,୦୦୦ କୋଟି ଟଙ୍କାରେ ନିର୍ମିତ ଏହି ଜାହାଜର ଲମ୍ବ ୨୬୨ ମିଟର ଓ ଓଜନ ୪୫ ହଜାର ଟନ୍ । ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜାଯାଇଛି । ମିଗ୍ ୨୯କେ ଓ କାମୋଭ୍‌-୩୧ ହେଲିକପ୍ଟର ସମେତ ମୋଟ ୩୦ଟି ଲଢୁଆ ଜେଟ୍ ଓ ହେଲିକପ୍ଟର ଏଥିରେ ମୁତୟନ କରାଯିବାର ବ୍ୟବସ୍ଥା ରହିଛି । ଶତ୍ରୁପକ୍ଷର ମୁକାବିଲା ପାଇଁ ‘ଆଇଏନ୍‌ଏସ୍ ବିକ୍ରାନ୍ତ’ରେ ବିମାନ ଓ ବୁଡାଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ର ମୁତୟନ କରାଯାଇଛି । ଭାରତ ହେଭି ଇଲେକ୍ଟ୍ରିକାଲ୍‌ସ ଲିମିଟେଡ, କିର୍ଲୋସ୍କାର, ଲାର୍ସେନ ଆଣ୍ଡ୍ ଟବ୍ରୋ ସମେତ ୧୦୦ଟି ଛୋଟବଡ କମ୍ପାନୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀକୁ ଉକ୍ତ ଜାହାଜରେ ଖଞ୍ଜାଯାଇଛି । ଜଳ, ସ୍ଥଳ ଓ ଆକାଶପଥରୁ ଆସୁଥିବା ସବୁ ବିପଦର ମୁକାବିଲା କରିବାରେ ଏହା ସକ୍ଷମ ହେବ ବୋଲି ନୌବାହିନୀ ସଦର୍ଣ୍ଣ କମାଣ୍ଡ ମୁଖ୍ୟ ଭାଇସ୍ ଆଡ୍‌ମିରାଲ ଏମ.ଏ.ହାମ୍ପିହୋଲି ସୂଚନା ଦେଇଛନ୍ତି । ୧୮ ମହଲା ବିଶିଷ୍ଟ ଏହି ନୂତନ ଜାହାଜରେ ୧୪ଟି ଡେକ୍ ଓ ୨୩୦୦ କମ୍ପାର୍ଟମେଣ୍ଟ ରହିଥିବାବେଳେ ୧୫୦୦ ନାବିକଙ୍କୁ ନିୟୋଜିତ କରାଯିବ । ଆଇଏନ୍‌ଏସ୍ ବିକ୍ରାନ୍ତରେ ୧୬ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଓ ୨୫୦ ତେଲ ଟ୍ୟାଙ୍କର ବ୍ୟବସ୍ଥା ମଧ୍ୟ କରାଯାଇଛି । ୨୦୦୯ରୁ କୋଚିନ୍ ସିପ୍‌ୟାର୍ଡରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୯ରେ ଶେଷ କରାଯାଇଥିଲା । ଚାରିଥର ସଫଳ ସମୁଦ୍ର ପରୀକ୍ଷଣ ପରେ କୋଚିନ ସିପୟାର୍ଡ ପକ୍ଷରୁ ଜୁଲାଇ ୨୮ରେ ‘ଆଇଏନ୍‌ଏସ୍ ବିକ୍ରାନ୍ତ’କୁ ନୌବାହିନୀକୁ ହସ୍ତାନ୍ତର କରାଯାଇଥିଲା ।