ନୂଆ ଦଳ ଗଠନ କଲେ ନବଜୋତ କୌର ସିଦ୍ଧୁ

ନୂଆଦିଲ୍ଲୀ: କଂଗ୍ରେସରୁ ବହିଷ୍କୃତ ହେବାର ଦୁଇ ମାସ ପରେ ପଞ୍ଜାବ ରାଜନୀତିରେ ବଡ଼ ଧମାକା କରିଛନ୍ତି ନବଜୋତ କୌର ସିଦ୍ଧୁ। ପୂର୍ବତନ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ଏକ ନୂତନ ରାଜନୈତିକ ଦଳ ଗଠନ କରିଥିବା ଘୋଷଣା କରିଛନ୍ତି। ଏହି ନୂଆ ଦଳର ନାମ ‘ଭାରତୀୟ ରାଷ୍ଟ୍ରବାଦୀ ପାର୍ଟି’ ରଖାଯାଇଛି। ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ନୂତନ ଦଳର ବ୍ୟାନର ସହ ନିଜର ଏକ ଫଟୋ ସେୟାର କରି କୌର କହିଛନ୍ତି ଯେ, ବର୍ତ୍ତମାନର ରାଜନେତାଙ୍କ ପ୍ରଦର୍ଶନକୁ ସମୀକ୍ଷା କରିବା ପରେ ଜାତୀୟ ସ୍ତରରେ ଏକ ନୂତନ ବିକଳ୍ପ ଉପରେ ସେମାନେ କାମ କରୁଛନ୍ତି। ନିଜ ପୋଷ୍ଟରେ ସେ ରାହୁଲ ଗାନ୍ଧୀ ଏବଂ ପଞ୍ଜାବ କଂଗ୍ରେସ ସଭାପତି ଅମରିନ୍ଦର ସିଂହ ରାଜା ୱାରିଂଙ୍କୁ ତୀବ୍ର ଟାର୍ଗେଟ କରିଛନ୍ତି। କିଛି ମାସ ପୂର୍ବରୁ ସେ ଦଳରେ ମୁଖ୍ୟମନ୍ତ୍ରୀ ପଦବୀ ୫୦୦ କୋଟି ଟଙ୍କାରେ ବିକ୍ରି ହେଉଥିବା ଭଳି ସାଂଘାତିକ ଅଭିଯୋଗ ଆଣି ଚର୍ଚ୍ଚାରେ ଥିଲେ। ଏହି ନୂଆ ଦଳ ଗଠନ ନିଷ୍ପତ୍ତିକୁ ସେ ଏକ ‘ବହୁ ପ୍ରତୀକ୍ଷିତ ପଦକ୍ଷେପ’ ବୋଲି ବର୍ଣ୍ଣନା କରିଛନ୍ତି। ସୂଚନାଯୋଗ୍ୟ ଯେ, ଦୁଇ ମାସ ପୂର୍ବରୁ ଉଭୟ ନବଜୋତ ସିଂ ସିଦ୍ଧୁ ଓ ନବଜୋତ କୌରଙ୍କୁ କଂଗ୍ରେସରୁ ବହିଷ୍କୃତ କରାଯାଇଥିଲା।