ଆଜି ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ନିଜ ମନ୍ତ୍ରୀ ମଣ୍ଡଳ ର ନବ କଳେବର କରିଛନ୍ତି I ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଓ ୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି ।ଏଥର ମୁଖ୍ୟମନ୍ତ୍ରୀଙ୍କ ଫୋକସ୍ ରେ ରହିଛି ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ‘ମିଶନ୍ ପଶ୍ଚିମ ଓଡ଼ିଶା’ ଅଧୀନରେ ପଶ୍ଚିମାଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ପାନୀୟ ଜଳ ଓ ନିର୍ମାଣ କାର୍ଯ୍ୟକ୍ରମକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି।
ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ମଧ୍ୟ ନବୀନ ପଶ୍ଚିମ ଓଡ଼ିଶାର ୭ ଜଣଙ୍କୁ ସ୍ଥାନ ଦେଇଛନ୍ତି। ଆଜି ଶପଥ ନେଇଥିବା ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ନିକଟରେ ପଶ୍ଚିମ ଓଡ଼ିଶାରୁ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭାକୁ ପଠାଇବାକୁ ନବୀନ ନିଷ୍ପତ୍ତି ନେଇଥିବାବେଳେ ୨ ଜଣ ମହିଳାଙ୍କ ସମେତ ୭ଜଣଙ୍କୁ ମନ୍ତ୍ରୀ ପଦ ଦେଇ ସରକାରରେ ଭାରସାମ୍ୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଛନ୍ତି। ନବକିଶୋର ଦାସ, ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢ଼ୋଲକିଆ, ରୋହିତ ପୂଜାରୀ, ଟୁକୁନୀ ସାହୁ ଓ ରୀତା ସାହୁଙ୍କୁ ନୁତନ ଟିମ ରେ ଗୁରୁ ଦାୟିତ୍ୱ ଦିଆଯାଇଛି । ସେହିପରି ଉପମୁଖ୍ୟ ସଚେତକ ପଦରେ ପଶ୍ଚିମ ଓଡ଼ିଶାର ଅନ୍ୟଜଣେ ବିଧାୟକ ସରୋଜ ମେହେରଙ୍କୁ ଅବସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ୫ମ ପାଳିରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ବୃଦ୍ଧି ହେବା ସହ ପ୍ରତି ଜିଲ୍ଲାରେ କାର୍ଯ୍ୟାଳୟ କାର୍ଯ୍ୟକାରୀ କରାଇଥିଲେ। କରୋନା ମହାମାରୀ ପରେ ପରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି, ସୁନ୍ଦରଗଡ଼ ଏବଂ ଅନ୍ୟ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ କରିଥିଲେ। ଏହା ମଧ୍ୟରେ ଜଳସେଚନ ପ୍ରକଳ୍ପକୁ ସର୍ବଧିକ ପ୍ରାଧାନ୍ୟ ଦିଆଯାଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ସର୍ବବୃହତ ତଥା ୨୦ ହଜାର କ୍ଷମତା ବିଶିଷ୍ଟ ହକି ଷ୍ଟାଡିୟମ୍ ମଧ୍ୟ ନିର୍ମାଣାଧୀନ ରହିଛି।