ବିଏସକେୱାଇ ଯୋଜନାର ସମୀକ୍ଷା କଲେ ନବୀନ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)  ଯୋଜନାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିବା ସହ ରାଜ୍ୟର ଲୋକଙ୍କୁ ବିନା ପଇସାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି । ସମୀକ୍ଷାରୁ ଜଣାପଡ଼ିଛି ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ପ୍ରତିମାସରେ ରାଜ୍ୟର ହାରାହାରି ୭୩ହଜାର ରୋଗୀଙ୍କ ପାଇଁ ସରକାର ୧୬୫କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ୨୦୨୧ ସେପ୍ଟେମ୍ବର ପହିଲାରୁ ଏହି ଯୋଜନାର ସ୍ମାର୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ ହେବା ଦିନଠୁ ଏପର୍ୟ୍ୟନ୍ତ ମୋଟ ୫.୪୫ଲକ୍ଷ ହିତାଧିକାରୀଙ୍କୁ ୧୨୯୧ କୋଟି ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ରାଜ୍ୟ ବାହାରର ୯୮ଟି ପ୍ରତିଷ୍ଠିତ ହସ୍ପିଟାଲ ସମେତ ମୋଟ ୫୦୦ଟି ହସ୍ପିଟାଲରେ ବିଏସକେୱାଇ ସ୍ମାର୍ଟ କାର୍ଡଧାରୀଙ୍କୁ ଚିକିତ୍ସା ସୁବିଧା ମିଳୁଛି । ରାଜ୍ୟର ୯୬.୫ଲକ୍ଷ ପରିବାରକୁ ଏହି ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ଦିଆଯାଇଛି । ଏହା ଦ୍ୱାରା ରାଜ୍ୟର ୩.୩୦କୋଟି ଲୋକ ଉପକୃତ ହେଉଛନ୍ତି । ତାଲିକାଭୁକ୍ତ ହୋଇଥିବା ଘରୋଇ ହସ୍ପିଟାଲଗୁଡ଼ିକରେ ପ୍ରତି ସ୍ମାର୍ଟ କାର୍ଡଧାରୀ ପରିବାରକୁ ୫ରୁ ୧୦ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସୁବିଧା ମିଳିପାରୁଛି । ଏହି ବିଏସକେୱାଇରେ ତାଲିକାଭୁକ୍ତ ହୋଇଥିବା ରାଜ୍ୟ ବାହାରର ହସ୍ପିଟାଲ ଭିତରେ ଟାଟା ମେମୋରିଆଲ ହସପିଟାଲ, ସିଏମସି ଭେଲୋର, ଶଙ୍କର କ୍ୟାନସର ହସ୍ପିଟାଲ ବାଙ୍ଗାଲୋର, ନାରାୟଣ ହୃଦୟାଳୟ ହସ୍ପିିଟାଲ, ଫର୍ଟିସ ହସ୍ପିଟାଲ, ଆପୋଲୋ ହସ୍ପିଟାଲ ଇତ୍ୟାଦି ରହିଛନ୍ତି । ୧୭ଟି ରାଜ୍ୟରେ ଏହି ହସପିଟାଲଗୁଡ଼ିକ ବିଏସକେୱାଇ ଯୋଜନାରେ ସେବା ଯୋଗାଇ ଦେଉଛନ୍ତି । ସିଏମସି ଭେଲୋରରେ ୭୬ ଜଣ ଓ ଟାଟା ମେମୋରିଆଲ ହସପିଟାଲ ମୁମ୍ବାଇରେ ୯୭୯ ଜଣ ହିତାଧିକାରୀ ଚିକିତ୍ସା ସୁବିଧା ପାଇଛନ୍ତି ।