କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: କଟକ ଏସସିବି ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଗତକାଲି ସେ କଟକ ଯାଇ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ। ଆଜି ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ ତୁରୁନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବୀ କରିଛନ୍ତି। ସେ କହିଛନ୍ତି ଯେ, କଟକ ଏସସିବି ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ ମୋତେ ବ୍ଯଥିତ କରିଛି। ଗତକାଲି ମୁଁ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରିଥିଲି। ସେଠାରେ ମୁଁ ଯାହା ଦେଖିଲି, ତାହା କେବଳ ଏକ ଦୁଃଖଦ ଦୁର୍ଘଟଣାର ଦୃଶ୍ୟ ନଥିଲା, ବରଂ ଆମ ରାଜ୍ୟର ଏହି ପ୍ରମୁଖ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ବିପର୍ଯ୍ୟସ୍ତ ସୁରକ୍ଷା ବ୍ୟବସ୍ଥାର ଏକ ନଗ୍ନ ଚିତ୍ର ଥିଲା। ସୋମବାର ଭୋର ସମୟରେ ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ୧୧ଟି ମୂଲ୍ୟବାନ ଜୀବନ ନେଇଯାଇଛି। ଏଠାକୁ ରୋଗୀମାନେ ସୁସ୍ଥ ହେବାର ଆଶା ନେଇ ଡାକ୍ତରଖାନାକୁ ଆସିଥିଲେ, କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ସେମାନଙ୍କୁ ଏଭଳି ଏକ ଭୟଙ୍କର ମୃତ୍ୟୁର ସାମ୍ନା କରିବାକୁ ପଡ଼ିଲା। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ମୋର ଗଭୀର ସମବେଦନା ଜଣାଉଛି। ପରିବାର ଲୋକେ ଶୋକ ପାଳନ କରୁଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ‘ତଦନ୍ତ’ ଆଳରେ ନିଜକୁ ଲୁଚାଇ ପାରିବ ନାହିଁ। ବିଚାର ବିଭାଗୀୟ ତଦନ୍ତ ସ୍ୱାଗତଯୋଗ୍ୟ, କିନ୍ତୁ ଏହା ରାଜନୈତିକ ନେତୃତ୍ୱକୁ ସେମାନଙ୍କ ଦାୟିତ୍ୱରୁ ମୁକ୍ତ କରିପାରିବ ନାହିଁ। ତେଣୁ, ମୁଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ତୁରନ୍ତ ଇସ୍ତଫା ଦାବି କରୁଛି। ସୁରକ୍ଷା ବ୍ୟବସ୍ଥାରେ ଏହି ଭୟଙ୍କର ତ୍ରୁଟି ପାଇଁ ସେ ନୈତିକ ଦାୟିତ୍ୱ ଗ୍ରହଣ କରିବା ଉଚିତ୍। ଏଥିସହିତ, ବର୍ତ୍ତମାନ ଘୋଷଣା କରାଯାଇଥିବା ଅନୁକମ୍ପାମୂଳକ ସହାୟତା ଅତି ନଗଣ୍ୟ। ମୁଁ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୫୦ ଲକ୍ଷ ଟଙ୍କାର ସହାୟତା ପାଇଁ ମାନ୍ୟବର ବାଚସ୍ପତିଙ୍କ ନିକଟରେ ବିଧାନସଭାରେ ଦାବି କରିଛି ।