୭ରେ ମୁଂହାମୁହିଁ ହେବେ ନବୀନ-ଧର୍ମେନ୍ଦ୍ର !

ଜମୁଛି ଝାରସୁଗୁଡା ଉପ ନିର୍ବାଚନ । ପ୍ରଚାର ମଇଦାନରେ ତିନି ଦଳ । କଂଗ୍ରେସ, ବିଜେପି ଏବଂ ବିଜେଡି । ଯେତେଯେତେ ଦିନ ପାଖେଇ ଆସୁଛି  ପ୍ରଚାର ସେତେ ରୋଚକ ହେଉଛି । ତେବେ ଆସନ୍ତା ୭ ତାରିଖ ବଳ ଦେଖାଇବେ ଦୁଇ ଦଳ । ପୁରା ହାଇ ଭୋଲଟେଜ ପ୍ରଚାର । ମୁହାଁମୁହିଁ ହେବେ ବିଜେପି-ବିଜେଡି । ଗୋଟିଏ ଦିନରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ମୈଦାନକୁ ଓହ୍ଲାଇଥିବାବେଳେ ନବୀନ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ମୈଦାନକୁ ଓହ୍ଲାଇ ପାରନ୍ତି । ଦୁଇ ଦଳର ଷ୍ଟାର ପ୍ରଚାରକ ଦଳରେ ଏମାନେ ସାମିଲ ଥିଲେ । ତେବେ ଗୋଟିଏ ଦିନରେ ଦୁଇଦଳର ପାୱାରଫୁଲ ନେତା ଆସିବାର ସମ୍ଭାବନା ଥିବାରୁ ସରଗରମ ହୋଇଛି ରାଜନୀତି । ଭୋଟର ଦେଖିବେ  କାହାର ଜୋର କେତେ । ଭୋଟ ଗ୍ରହଣର ୨ ଦିନ ପୂର୍ବରୁ ଟଙ୍କଧରଙ୍କ ପାଇଁ ଭୋଟ ମାଗିବାକୁ ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ନିର୍ବାଚନୀ ସଭା ସହ ରୋଡ ସୋ ମଧ୍ୟ କରିବେ । ଅନ୍ୟପକ୍ଷେ ଦୀପାଳିଙ୍କ ଷ୍ଟାର ପ୍ରଚାରକ ଦଳରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଥିଲା । ତେଣୁ ମୁଖ୍ୟମନ୍ତ୍ରୀ ୭ ତାରି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଭୋଟ ଭିକ୍ଷା କରିବାକୁ ଆସିପାରନ୍ତି । ତେବେ ମୁଖ୍ୟମନ୍ତ୍ରୀ କେଉଁଠି ନିର୍ବାଚନୀ ସଭା କରିବେ ଏବଂ କେତେବେଳେ କରିବେ ତାହା ଜଣାପଡି ନାହିଁ ।

ଅନ୍ୟପଟେ   ବିଜେଡି ନେତା ଓ କର୍ମୀଙ୍କ ଗହଣରେ ମାରାଥନ୍‌ କ୍ୟାମ୍ପେନ୍‌ କରୁଛନ୍ତି ଦୀପାଳି ଦାସ । ଅନୁକମ୍ପାନମୂଳକ ଭୋଟ ସହ ବିଜେଡି ଛାପା ତାଙ୍କୁ ବିଜୟ ମୁକୁଟ ପିନ୍ଧାଇବ । ଏଇ ଆଶା ନେଇ ପ୍ରଚାରରେ ମାତିଛନ୍ତି କର୍ମୀ । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର ନେତା ଓ କର୍ମୀଙ୍କୁ ଆହୁରି ଉତ୍ସାହିତ କରିବ ।